କଟକ: ମନ୍ଦିର ଛାଡି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୂଜକ । ଏଭଳି ଦୃଶ୍ୟ କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ଦେଖିବାକୁ ମିଳିଛି । ବଡଓଷା ଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିବାବେଳେ ତୁରନ୍ତ ମନ୍ଦିର ଖୋଲିବା ସହ ପୂଜକମାନଙ୍କୁ କ୍ଷତିପୂରଣ ଦାବିରେ ପୂଜକମାନେ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି ।
ପ୍ରସିଦ୍ଧ ବାବା ଧବଳେଶ୍ଵର ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଅସନ୍ତୁଷ୍ଟ ହୋଇପଡିଛନ୍ତି ପୂଜକ ଓ ସେବାୟତ । କାରଣ ଦର୍ଶନ ନକରି ଫେରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଯାହାଦ୍ବାରା ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ନିରାଶ ହେଉଛନ୍ତି ସେବାୟତ । ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଶ୍ରଦ୍ଧାଳୁମାନେ ପୀଠକୁ ଯାଇନପାରିବା ଯୋଗୁଁ ସେମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବଡଓଷା ଠାରୁ ଝୁଲାପୋଲ ମରାମତି କରିବା ଉଦ୍ଦେଶ୍ୟରେ ସର୍ବସାଧାରଣ ଦର୍ଶନ ଉପରେ ରୋକ ଲଗାଇଥିଲା ପ୍ରଶାସନ ।
ଦୀର୍ଘ ସମୟଧରି ମନ୍ଦିର ବନ୍ଦ ଯୋଗୁଁ ପୂଜକମାନଙ୍କୁ କ୍ଷତି ପୂରଣ ରାଶି ଦିଆଯିବା ଦାବିକରି ଧବଳେଶ୍ଵର ମନ୍ଦିର ମୁଖ୍ୟ ଗେଟ ଆଗରେ ଆନ୍ଦୋଳନରେ ବସିଛନ୍ତି ସମସ୍ତ ପୂଜକ ଓ ସେବାୟତ । ଆନ୍ଦୋଳନସ୍ଥଳରେ ଆଠଗଡ ତହସିଲଦାର ପହଞ୍ଚି ପୂଜକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ବୈଠକ ପରେ ବୈଠକ ଚାଲିଛି, କିନ୍ତୁ ନା ପୋଲ ମରାମତି ହେଉଛି ନା ଦର୍ଶନର ବାଟ ଖୋଲୁଛି । ଆନ୍ଦୋଳନରେ ବାଟ ନଫିଟିଲେ ଆସନ୍ତାକାଲି ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ ସହ ପରେ ଧବଳେଶ୍ଵରଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ପୂଜକ ।
ଇଟିଭି ଭାରତ, କଟକ