କଟକ: ସଦର ଏବଂ ନିଆଳି ନିର୍ବାଚନ ମଣ୍ଡଳୀର ବାସିନ୍ଦା ରାଜପଥ ପ୍ରତାପନଗରୀ ଠାରୁ ବ୍ରାହ୍ମଣସାଇଲୋ ପର୍ଯ୍ୟନ୍ତ ନାଳବନ୍ଧ ରାସ୍ତାରେ ଉପୁଜିଥିବା ସମସ୍ୟାକୁ ନେଇ ତେଜିଲା ଆନ୍ଦୋଳନ । ଏନେଇ ମଙ୍ଗଳବାର 'ଜାତୀୟ ସାମାଜିକ ସେବା ସଂଗଠନ' ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି ।
ଉକ୍ତ ଦାବିରେ ସଙ୍ଗଠନ ପକ୍ଷରୁ ଉଲ୍ଲେଖ ରହିଛି ଯେ, ପ୍ରତାପନଗରୀ ଠାରୁ ବ୍ରାହ୍ମଣ ସାଇଲୋ ପର୍ଯ୍ୟନ୍ତ ଥିବା ନାଳବନ୍ଧ ରାସ୍ତାରେ ଦୈନିକ ହଜାର ହଜାର ଲୋକ ନିଜ ନିଜର ପେଟ ପାଟଣା ପାଇଁ ହେଉ ଅବା କାର୍ଯ୍ୟବଶତଃ ପାଇଁ ଯାତାୟତ କରିଥାନ୍ତି କିନ୍ତୁ ବର୍ତ୍ତମାନ ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଛି । ତେଣୁ ଏହି ରାସ୍ତାର ମରାମତି ଓ ସମ୍ପ୍ରସାରଣ ତୁରନ୍ତ ହେବା ସହ ନାଳବନ୍ଧରୁ ନଦୀ ବନ୍ଧକୁ ସଂଯୋଗ କରୁଥିବା ପୋଲରେ ଶହ ଶହ ବାଲି ବୋଝେଇ ଭାରିଯାନ ଚଳାଚଳ ହେଉଛି ।
ଅତି ନିକଟ ଅତୀତରେ ଏକ ବାଲି ବୋଝେଇ ହାଇୱା ଗାଡ଼ି ତଳେ ଚାପି ହୋଇ ଜଣକଙ୍କର ମୃତ୍ୟୁ ହୋଇଥିଲା ମାତ୍ର ଉକ୍ତ ଗାଡ଼ିର ଇନ୍ସୁରାନ୍ସ ନ ଥିବାରୁ ସେ ଦୁର୍ଘଟଣା ଜନିତ ବୀମା ପାଇବାରୁ ବଞ୍ଚିତ ହେଇଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ପଦକ୍ଷେପ ନେବା ସେମାନଙ୍କ ଦାବି । ଯଦି ଏହି ସବୁ ସମସ୍ୟା ଆଗାମୀ ଏକ ମାସ ମଧ୍ୟରେ ସମାଧାନ ନ ହୁଏ ତେବେ ରାସ୍ତାରୋକ, ହରତାଳ, ଏବଂ ଅନ୍ନସନ ଭଳି ପନ୍ଥାକୁ ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, କଟକ