କଟକ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଜାଲିଆତି ମାମଲାରେ ଫିଟୁଛି ଗୁମର । କାର୍ଡର ଜାଲିଆତି ସାଙ୍ଗକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଭୂମିକାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସବୁଠାରୁ ବଡ଼ କଥା ହେଉଛି ଡାକ୍ତରଙ୍କ ତ୍ରୁଟି ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟିଥିବା କଟକ ସିଡିଏମଓ ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ ତଦନ୍ତ କରାଯାଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦିଆଯାଇଛି । ରିପୋର୍ଟ ଆଧାରରେ ଡାକ୍ତରଙ୍କ ବିରୋଧରେ ଖୁବଘୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସଡିଏମଓ ।
କଟକରେ ହୋଇଥିବା BSKY ଜାଲିଆତି ମାମଲାରେ ପୁଣି ଦୁଇଟି ଆକାଉଣ୍ଟକୁ ଫ୍ରିଜ୍ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଅଶୋକ ପତିର ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି । ଦୁଇଟି ଆକାଉଣ୍ଟରେ ଥିବା ୨୭ ଲକ୍ଷ ୮୫ହଜାର ଟଙ୍କା ଫ୍ରିଜ କରାଯାଇଛି । ଗୋଟିଏ ସେଭିଂ ଆକାଉଣ୍ଟ ଓ ଅନ୍ୟଟି ଫିକ୍ସ ଡିପୋଜିଟ ଆକାଉଣ୍ଟ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସାଲେପୁର ଶୋଭା ନର୍ସିଂହୋମର ମାଲିକ ହେଉଛନ୍ତି ଅଶୋକ ପତି । ସୋମବାର ଜେ.ଏମ କେୟାରର ଆକାଉଣ୍ଟ ଫ୍ରିଜ୍ କରିଥିଲା ପୋଲିସ । ସେହି ଆକାଉଣ୍ଟରେ ୮ଲକ୍ଷ ଟଙ୍କା ଥିବାବେଳେ ଅଚଳ କରିଥିଲା ପୋଲିସ ।
ତେବେ BSKY କଳେଙ୍କାରୀ ଘଟଣା ପଛରେ ଲୁଚି ରହିଥିବା ଏକ ବଡ ଧରଣର ହେରଫେର ସାମ୍ନାକୁ ଆସଛି । କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା କଟକର ଦୁଇଟି ବେସରକାରୀ ହସ୍ପିଟାଲ ଗୋଟିଏ କି ଦୁଇଟି ନୁହେଁ ବରଂ ୬୨ଜଣ ରୋଗୀଙ୍କ BSKY ଅର୍ଥକୁ ବେଆଇନ ଭାବେ ହେରଫେର କରିଥିବା ଜଣାପଡିଛି । ଏହି ଜଣାପଡ଼ିବା ପରେ ଏହି କଳେଙ୍କାରୀର ମୁଖ୍ୟ ଖଳନାୟକ ଡାକ୍ତର ଚିନ୍ମୟ ସାହୁର ଜାମିନ ଆବେଦନ ଖାରଜ କରିବା ପାଇଁ ପୋଲିସ କୋର୍ଟଙ୍କୁ ନିବେଦନ କରିବା ସହ ତାର ହସ୍ପିଟାଲ ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରିଛି ।
କଟକ ସିଡ଼ିଏମଓ ଡାକ୍ତର ସତ୍ୟବ୍ରତ ଛୋଟରାୟ ପ୍ରତିକ୍ରିୟା ରଖି କହିଛନ୍ତି, " ଆମର ଦାୟିତ୍ୱ କେବଳ ଘଟଣାର ତଦନ୍ତ କରି ଜିଲ୍ଲା ପ୍ରଶାସନ ଏବଂ ପୋଲିସଙ୍କୁ ରିପୋର୍ଟ ପ୍ରଦାନ କରିବା । ଅଭିଯୋଗ ଆସିବା ପରେ ଆମର ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, BSKY କାର୍ଡରେ ଅନିୟମିତତା ରହିଥିଲା ଏବଂ ଡାକ୍ତରଙ୍କ ତ୍ରୁଟି ପାଇଁ ରୋଗୀ ଜଣଙ୍କର ମୃତ୍ୟୁ ଘଟିଥିଲା । ଏନେଇ ତଦନ୍ତ ଟିମ ରିପୋର୍ଟ କରିଥିଲେ ଏବଂ ତାହା ଉପରସ୍ଥ ଅଧିକାରୀଙ୍କୁ ପଠାଯାଇଛି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ଯାଉଛି । ଆଇନ ଅନୁସାରେ ଖୁବଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"
ଏହା ମଧ୍ୟ ପଢନ୍ତୁ: BSKY କାର୍ଡ ଜାଲିଆତି ମାମଲା, ୨ ହସ୍ପିଟାଲକୁ ସିଲ କଲା ପୋଲିସ
ସେହିପରି କଟକ ନୂଆବଜାର ଅଞ୍ଚଳରେ ଥିବା ଜେ.ଏମ କେୟାର ହସ୍ପିଟାଲର ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରାଯାଇଛି । BSKY କଳେଙ୍କାରୀରେ ସାମିଲ ଥିବା ଏହି ହସ୍ପିଟାଲର ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ମୋଟ 8 ଲକ୍ଷ ଟଙ୍କା ଫ୍ରିଜ କରିଛି କମିଶନରେଟ ପୋଲିସ । ଏହା ବ୍ୟତୀତ କଳେଙ୍କାରୀରେ ସାମିଲ ଉଭୟ ଜେ.ଏମ କେୟାର ହସ୍ପିଟାଲ ଓ କଟକ ପାଗା ଅଞ୍ଚଳରେ ଥିବା ଶୋଭା ନସିଂହୋମର ୭ଟି ଆକାଉଣ୍ଟକୁ ଯାଞ୍ଚ କରାଯିବାରୁ ସେଥିମଧ୍ୟରେ ଅନେକ ଅନିୟମିତତା ସାମ୍ନାକୁ ଆସିଛି । ଏହି ଦୁଇଟି ଯାକ ଚିକିତ୍ସାଳୟର ନଥିପତ୍ର ଯାଞ୍ଚ କରିବାରୁ ଏକ ବଡ଼ ଧରଣର ହେରଫେର ବାବଦରେ ପ୍ରମାଣ ମିଳିଛି । ଜଣେ କି ଦୁଇ ଜଣ ରୋଗୀ ନୁହେଁ ବରଂ BSKY କାର୍ଡ ଥିବା ମୋଟ ୬୨ ଜଣ ରୋଗୀଙ୍କୁ ଏହି ଗ୍ୟାଙ୍ଗ ଶିକାର କରିଛି । ରୋଗୀଙ୍କୁ ଗୋଟିଏ ଡାକ୍ତରଖାନାରେ ଭର୍ତ୍ତି ଓ ଅନ୍ୟ ଡାକ୍ତରଖାନାରେ ଚିକିତ୍ସା କରାଇ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଜଣାପଡ଼ିଛି ।
ଇଟିଭି ଭାରତ, କଟକ