କଟକ: ସାରା ରାଜ୍ୟରେ ଉତ୍କଳ ଦିବସ ସହ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୮୪ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପୋଲିସର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୧୦ଟି ଟ୍ରୁପଦ୍ୱାରା ଆୟୋଜିତ ପ୍ୟାରେଡର ମଧ୍ୟ ଅଭିବାଦନ ଗ୍ରହଣ କରିଥିଲେ ଏଡିଜି ମନୋଜ । ଏଥି ସହିତ 100 ଜଣ ପୋଲିସ ଅଫିସର ଓ କର୍ମଚାରୀଙ୍କୁ ଶ୍ରେଷ୍ଠ ପୋଲିସ ସେବା ପାଇଁ ପୁରସ୍କୃତ ମଧ୍ୟ କରାଯାଇଥିଲା ।
ସେହିପରି ଇସ୍ପାତ ସହର ରାଉରକେଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଜିଲ୍ଲାର ଡ଼ିଆଇଜି କବିତା ଜଳାନ ଉପସ୍ଥିତ ରହି ପରେଡ଼ର ନିରୀକ୍ଷଣ କରିବା ସହିତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଏଥିସହିତ ଉତ୍କଳ ଦିବସ ଥିବାରୁ ଉଦିତନଗର ପଡିଆରୁ ଏକ ବିରାଟ ଶୋଭାଯାତ୍ରା ବାହାର କରିଓଡିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା । ଏତତବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା ରାୟଗଡା, କୋରାପୁଟ, ଅନୁଗୋଳ, କନ୍ଧମାଳରେ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରିବାସହ ଉତ୍କଳ ଦିବସ ମଧ୍ୟ ପାଳନ କରିଥିଲେ। ପବିତ୍ର ଉତ୍କଳ ଦିବସରେ ଓଡିଶାର ବରପୁତ୍ର ମାନଙ୍କୁ ସ୍ମରଣ କରିଥିଲେ ଜିଲ୍ଲାବାସୀ ।
ଅପରପକ୍ଷେ ସହରରେ ପୋଲିସର ସକ୍ରୀୟତା ଯୋଗୁଁ ଶାନ୍ତି ବଜାୟ ରହୁଥିବା ଏବଂ ସମାଜରେ ପୋଲିସର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହିତ କିଛି ସାହାସିକତା ଓ ଉତ୍ତମ ସେବା ଯୋଗାଉଥିବା ପୋଲିସ କର୍ମୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ