ନିଆଳି: ମନ ଭିତରେ କୁହୁଳୁ ଥିଲା ପୂର୍ବ ଶତ୍ରୁତାର ନିଆଁ । ପାଞ୍ଚ ବର୍ଷ ତଳର ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଭିଆଇଲା ପୁଅ । ହତ୍ୟାକରି ମା’ ସହ ମିଶି ମୃତଦେଦକୁ ବସ୍ତାରେ ବାନ୍ଧି ଗାଡିଆରେ ଫିଙ୍ଗିଦେଲା ଅଭିଯୁକ୍ତ । ଏନେଇ ମୃତକଙ୍କ ପତ୍ନୀଙ୍କ ମାମଲା ଆଧାରରେ ତଦନ୍ତ ଆରମ୍ଭ କରି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ତେବେ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ଉପରୁ ପରଦା ହଟାଇଛି ପୋଲିସ ।
କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଦେବଦତ୍ତ ବରାଳଙ୍କ ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ପଞ୍ଚାୟତ ସ୍ଥିତ କବିଚନ୍ଦ୍ରପୁର ଗାଁର କପିଳ ସାହୁଙ୍କ ବଡ ପୁଅ ପ୍ରକାଶ ସାହୁ (୪୪) । ଗତ 3 ତାରିଖ ଦିନ ସଂଧ୍ୟାରେ ଧାନ କଟା ମେସିନ ହିସାବ ପାଇଁ ନିଜ ବନ୍ଧୁମାନଙ୍କ ନିକଟକୁ ଯାଇଥିଲେ । ଘରକୁ ନ ଫେରି ରାତିରେ ଘାଁର ଜୟଦେବ ସାହୁ ଓରଫ ଚିକୁନା ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ଘରେ ମାଆ ତନୁବାଳା ଓ ପ୍ରକାଶଙ୍କୁ ଦେଖି ଚିକୁନା ରାଗିଯାଇ ପ୍ରକାଶ ସହ ଠେଲାପେଲା ହେବା ସହ ଏକ ହେମଦସ୍ତା ବାଡି ସାହାଯ୍ୟରେ ପ୍ରକାଶର ମୁଣ୍ତକୁ ପିଟି ଦେଇଥିଲେ ଚିକୁନା । ସେପଟେ ପ୍ରକାଶ ମରିଯାଇଥିବା ଭାବି ଚିକୁନା ଓ ତାର ମାଆ ପ୍ରକାଶର ହାତଗୋଡ ବାନ୍ଧି ଜରି ଅଖାରେ ଭର୍ତ୍ତି କରି ଘର ନିକଟରେ ଥିବା ଗତେଶ୍ବର ଦଳ ଗଡିଆରେ ଫିଙ୍ଗି ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.......ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲା, ମାଆ ଓ ତିନି ପୁଅକୁ ଆଜୀବନ କାରାଦଣ୍ଡ
ସେପଟେ ମୃତ ପ୍ରକାଶ ସାହୁଙ୍କ ପରିବାର ଏବଂ ସ୍ତ୍ରୀ ଗୀତାଞ୍ଜଳି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପ୍ରକାଶ ନମିଳିବାରୁ ନିଆଳି ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା । ତେବେ ଗତ ଆଠ ତାରିଖ ଦିନ ଦୁର୍ଗନ୍ଧ ହେବାରୁ ଗାଡିଆରେ ପଡ଼ିଥିବା ଜରି ଅଖାକୁ ଖୋଲି ପରିବାର ଲୋକେ ପ୍ରକାଶ ସାହୁଙ୍କ ମୃତଦେହକୁ ଦେଖିଥିଲେ । ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳକୁ ପୋଲିସ, ସାଇଣ୍ଟିପିକ ଟିମ, ସଦର କଟକ ଏସଡିପିଓ ଏବଂ ଅତିରିକ୍ତ ଏସପି ପହଞ୍ଚି ହତ୍ୟାକାଣ୍ଡ ତଦନ୍ତ ଆରମ୍ଭ କରିବା ସହିତ ଘଟଣାର ଅନୁଧ୍ୟାନ କରିଥିଲେ । ଏକ ହତ୍ୟା ମାମଲା ରୁଜୁ କରି ଘଟଣାରେ ଅନେକ ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ ।
ପୋଲିସ ସବୁ ତଥ୍ୟ ଏବଂ ପ୍ରମାଣ ପାଇବା ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଚିକୁନା, ପ୍ରକାଶଙ୍କୁ ହତ୍ୟା କରିଥିବା ବେଳେ ଏଥିରେ ଟୁକୁନାକୁ ତାର ମାଆ ସହଯୋଗ କରିଥିବା ନେଇ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି । ତେବେ ଉଭୟ ମାଆ ପୁଅକୁ ପୋଲିସ ଗିରଫ କରିଛି । ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ହେମଦସ୍ତା ବାଡି, ଦଉଡ଼ି ଏବଂ ଚପଲ ଜବତ କରିଛି । ଆଜି ଅଭିଯୁକ୍ତ ମାଆ ଓ ପୁଅଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି ପୋଲିସ ।
ଇଟିଭି ଭାରତ, ନିଆଳି