କଟକ: ଦଶହରାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଢୁଛି କି ଅସନ୍ତୋଷ ? କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାତ୍ର ଗୋଟିଏ ପୂଜା କମିଟି ମୂର୍ତ୍ତିର ଆକାର ନେଇ କଟକ ଡ଼ସିପିଙ୍କୁ ଅବଗତ କରାଇଛନ୍ତି ! ସନ୍ଧ୍ୟା ୭ଟା ଭିତରେ ମୂର୍ତ୍ତିର ଆକାର ନେଇ ଡ଼ସିପିଙ୍କୁ ଅବଗତ କରାଇବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲା ବେଳେ ବାଲୁବଜାର ପୂଜା କମିଟି ବ୍ୟତୀତ ଅନ୍ୟ କୌଣସି ପୂଜା କମିଟି ମୂର୍ତ୍ତିର ଆକାର ନେଇ ଡ଼ସିପିଙ୍କୁ ଅବଗତ କରାଇନଥିବା ଜଣାପଡ଼ିଛି ।
ଏନେଇ କଟକ ଡିସିପି କୌଣସି ସୂଚନା ଦେଇନଥିଲେ ବି ଡ଼ସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି । ସେହିପରି କେହି କେହି ପୂଜା ମଣ୍ଡପ ଘଟ କିମ୍ବା ଫଟୋରେ ପୂଜା କରିବାକୁ ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ମୂର୍ତ୍ତିର ଆକାରକୁ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦେଶନାମାକୁ ନେଇ ଅନେକ ପୂଜା କମିଟି ଅସନ୍ତୋଷ ଜାହିର କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ବୁଧବାର ଏହାର ଶୁଣାଣି ସମୟରେ କହିଥିଲେ ଯେ, ଯେଉଁ ମଣ୍ଡପ ମାନେ ପୂର୍ବରୁ ମୂର୍ତ୍ତି ନିର୍ମାଣ କରିଛନ୍ତି ସେନେଇ କଟକ ଡ଼ସିପିଙ୍କୁ ସନ୍ଧ୍ୟା ୭ ଟା ସୁଦ୍ଧା ଅବଗତ କରାଇବେ ।
ଯାହାକୁ ନେଇ ଅନେକ ପୂଜା କମିଟି ଅସନ୍ତୋଷ ଜାହିର କରି ମୂର୍ତ୍ତି ସମ୍ପର୍କରେ କୌଣସି ଅବଗତ କରିନଥିବା ଜଣାପଡ଼ିଛି । କହିବାକୁ ଗଲେ ଏହି ନିଷ୍ପତ୍ତି ନେଇ କୌଣସି ପୂଜା କମିଟି ରାଜି ନାହାଁନ୍ତି । ହାତରେ ଆହୁରି ସମୟ ଥିବାରୁ ଏହି ନିର୍ଦ୍ଦେଶର ପୁନଃବିଚାର କରିବାକୁ ପୂଜା କମିଟି ମାନେ ସଜବାଜ ହେଉଥିବା ଜଣାପଡ଼ିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ