କଟକ: କଟକ ମହାନଗର ନିର୍ବାଚନକୁ ବର୍ଷେ ପୂରିଛି । ଗତ ବର୍ଷ ୨୦୨୨ ଏପ୍ରିଲ ୭ ତାରିଖ ଦିନ କଟକ ମହାନଗର ନିଗମର ନିର୍ବାଚିତ ପ୍ରତିନିଧିମାନେ ଶପଥ ନେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଏକ ବର୍ଷର ସଫଳତା ବିଷୟରେ ବଖାଣିଛନ୍ତି ମେୟର । ମେୟର କହିଛନ୍ତି, ବଦଳୁଛି ସିଲଭର ସିଟି କଟକର ରୂପରେଖ । ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ କଟକର ବିଭିନ୍ନ ପ୍ରକଳ୍ପ କାର୍ଯ୍ଯ କରାଯାଇଥିବା ବେଳେ ଏବେ ଅନେକ ନୂଆ ପ୍ରକଳ୍ପ କାର୍ଯ୍ଯ ହାତକୁ ନେଇଛି ନିଗମ।
ମେୟରଙ୍କ ବର୍ଷକ ମଧ୍ୟରେ ସଫଳତାର କାର୍ଯ୍ଯ ସୂଚୀ: ଏହି ବର୍ଷେ ମଧ୍ୟରେ କଟକରେ ଅନେକ ପ୍ରକଳ୍ପ ଶେଷ ହୋଇଥିବା ବେଳେ ଆଉ କିଛି ପ୍ରକଳ୍ପର କାର୍ଯ୍ୟ ଚାଲିଛି । ଏହା ଭିତରେ ଜାଇକା କାର୍ଯ୍ୟ ,ବକ୍ସ ଡ୍ରେନ ତିଆରି, ଘରଘରକୁ ପାନୀୟ ଜଳ ଯୋଗାଣ, ନୂଆ ବସ ଷ୍ଟାଣ୍ଡ, ତାଳଦଣ୍ଡା କେନାଲ ନବୀକରଣ, ଚଣ୍ଡୀ ମନ୍ଦିର ଆଲୋକି କରଣ, ତେଲଗୁ ଶ୍ମଶାନ ନିର୍ମାଣ, ବଡ଼ ଡ଼ାକ୍ତରଖାନାର ନବୀକରଣ, ମେଟ୍ରୋ ଟ୍ରେନ, ଯୁଧ୍ୟକାଳୀନ ଭିତରେ ପଙ୍କ ଉଦ୍ଧାର ଓ ବର୍ଷା ଜଳ ନିଷ୍କାସନ କରାଯାଇଛି। ଏହାସହ ଦୁର୍ଗା ପୂଜା ପାଇଁ ରାସ୍ତା ଘାଟ ମରାମତି, ଆଲୋକୀକରଣ ,ଐତିହାସିକ ବାଲିଯାତ୍ରା ମହୋତ୍ସବ, କାଗଜ ଡଙ୍ଗା ତିଆରି କରି “ଗିନିଜ ୱାଲ୍ଡ ରେକର୍ଡ”, ବିଶ୍ୱକପ ହକି ଉଦଘାଟନୀ ଉତ୍ସବ, ଖାନନଗର ଓ ସତିଚୌରା ଶ୍ମଶାନରେ ଗ୍ୟାସ ଚୁଲା, ରାଣୀହାଟ ୱାଚ୍ ଟାୱାର କାର୍ଯ୍ୟ , "ମୋ ୱାର୍ଡ କାର୍ଯ୍ୟକ୍ରମ" ଭଳି ଅନେକ କାର୍ଯ୍ୟର ସଫଳତା ବିଷୟରେ ପ୍ରକାଶ କରିଛନ୍ତି ମେୟର।
ନିର୍ବାଚନ ପୂର୍ବରୁ ମେୟରଙ୍କ ପ୍ରତିଶ୍ରୁତି: ହେଲେ ନିର୍ବାଚନ ପୂର୍ବରୁ ମେୟର କଟକ ସହରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଥିଲେ ତାହା ଆଜି ବି ପ୍ରତିଶ୍ରୁତି ହୋଇରହି ଯାଇଛି । ଖାସ କରି କଟକ ସହରରେ ଜଳବନ୍ଦୀ ସମସ୍ୟା ଓ ମଶା ଉପଦ୍ରଵ ଏହି ଦୁଇଟି ମୁଖ୍ୟ ପ୍ରତିଶ୍ରୁତି ନିର୍ବାଚନ ସମୟରେ ମେୟର ଦେଇଥିଲେ। ମାତ୍ର ଆଜି ବି ଅଳପ ବର୍ଷା ହେଲେ ଉବୁଟୁବୁ ହେଉଛି କଟକ ସହର ।
ବର୍ଷକର ସଫଳତା ବନାମ ବର୍ଷକର ବିଫଳତା: ସେପଟେ ମେୟର ଆଜି ବର୍ଷେ ପୂରଣର ସଫଳତା କଥା ସାମ୍ବାଦିକ ସମ୍ମିଳନୀରେ ବଖାଣି ଥିବା ବେଳେ ବର୍ଷକର ବିଫଳତା କଥା କହିଛନ୍ତି ବିରୋଧୀ ଦଳର କର୍ପୋରେଟରମାନେ । କେତେ ପୂରଣ ହୋଇଛି ନିର୍ବାଚନ ପୂର୍ବରୁ ମେୟର ଦେଇଥିବା ପ୍ରତିଶୃତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ । ବିରୋଧୀ ଦଳ କହିଛନ୍ତି ମେୟର କାଉନ୍ସିଲ ନିର୍ବାଚନ ପୂର୍ବରୁ କଟକ ସହରକୁ ଜଳବନ୍ଧିରୁ ମୁକ୍ତି ଏବଂ ମଶା ମୁକ୍ତ ସହର କରିବା ପାଇଁ ନିର୍ବାଚନ ସହରବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ଘଣ୍ଟାଏ ବର୍ଷା ହେଲେ ଉବୁଟୁବୁ ହେଉଛି ସହର। ଡ୍ରେନ ସଫା କରାଯାଉନି, ପଙ୍କ ଉଦ୍ଧାର କରାଯାଉନି। ବାଲିଯାତ୍ରାରେ ମହା ଦୁର୍ନୀତି ଘୋଟାଲର ସଫେଇ ଦେଇନି ଦଳ । ଏସବୁ କଣ ମେୟରଙ୍କ ସଫଳତା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ କର୍ପୋରେଟର । ଏହା ସଫଳତାର ବର୍ଷେ ନୁହେଁ ବରଂ ବିଫଳ ତାର ବର୍ଷେ ବୋଲି ବିରୋଧୀ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କଟକ