କଟକ: ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କନେଷ୍ଟବଳ ଓ ହାବିଲଦାର କୌଣସି ଅପରାଧିକ ମାମଲାର ତଦନ୍ତ କରିପାରିବେ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ । ଏମାନେ ଅଫିସର ରାଙ୍କର ହୋଇନଥିବାରୁ ଏହି ମାମଲାରେ ଦାୟିତ୍ବ ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ରାଜ୍ୟ ସରକାର ନେଇଥିବା ଏହି ସମ୍ପର୍କିତ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।
ଗ୍ରାଜୁଏସନ କରିଥିବା କନଷ୍ଟେବଳ ଓ କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାରଙ୍କୁ ମାମଲାର ତଦନ୍ତ କ୍ଷମତା ପ୍ରଦାନ କରିବା ପାଇଁ ଗତ ୨୦୨୨ ମେ ୨୧ରେ ପୋଲିସ ସର୍କୁଲାର ଅର୍ଡର ୩୯୩କୁ ଖାରଜ କରିଦେଇଛନ୍ତି କୋର୍ଟ । ଆବେଦନକାରୀ ମିନକେତନ ନାୟକଙ୍କ ସମେତ ଅନ୍ୟ ୫୦ଟି ମାମଲାର ଏକତ୍ର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଶୁଣାଇଛନ୍ତି ।
୨୦୧୯ ମସିହା ଜାନୁଆରୀ ୩ରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ । ଏହି ବିଜ୍ଞପ୍ତିରେ ଗ୍ରାଜୁଏସନ କରିଥିବା କନଷ୍ଟେବଳ ଓ ସିଆଇ ହାବିଲଦାରଙ୍କ ତଦନ୍ତ କ୍ଷମତା ସମ୍ପର୍କରେ ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ସେମାନଙ୍କୁ ୩୦ ଦିନର ଆନୁଷ୍ଠାନିକ ତାଲିମ ଓ ୪୫ ଦିନର ପ୍ରାକ୍ଟିକାଲ ତାଲିମ ପ୍ରଦାନ କରିଯିବ ଓ ପରେ ଏକ ପରୀକ୍ଷା କରାଯିବ। ଏଥିରେ ଯେଉଁମାନେ କୃତକାର୍ଯ୍ୟ ହେବେ ଅର୍ଥାତ କୃତିତ୍ବ ହାସଲ କରିଥିବା କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ପାଇଁ ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ।
ଏହା ବି ପଢନ୍ତୁ- SCB କ୍ୟାମ୍ପସରେ ତମାଖୁ ମନା, ନିୟମ ଭାଙ୍ଗିଲେ ମିଳିବ ତଣ୍ଡ
ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କୁ ତଦନ୍ତ କ୍ଷମତା ଦିଆଗଲେ ବି ସେମାନଙ୍କୁ ପାରିଶ୍ରମିକ ବାବଦକ କୌଣସି ଦିଆଯିବ ନାହିଁ। ୨୦୨୨ରେ ଏନେଇ ରାଜ୍ୟ ପୋଲିସ ମହାନିର୍ଦେଶକ ରାଜ୍ୟର ସମସ୍ତ ଜିଲ୍ଲା ଏସପିମାନଙ୍କୁ ଏକ ଚିଠି ଲେଖିଥିଲେ । ବିଶେଷ କରି ଜିଲ୍ଲାରେ କାର୍ଯ୍ୟରତ କେତେ କନେଷ୍ଟବଳ ଗ୍ରାଜୁଏସନ କରିଛନ୍ତି ଏବଂ ସେମାନଙ୍କୁ ପ୍ରଶିକ୍ଷଣ ପାଇଁ ପଠାଇବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ । ହାଇକୋର୍ଟ ଏହି ମାମଲାକୁ ଅତି ଗୁରୁତ୍ବର ସହ ନେଇ ଏପରି ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ ସିଆରପିସିର ଧାରା ୧୫୬ରେ କେବଳ ପୋଲିସ ଅଫିସର ହିଁ ତଦନ୍ତ କରିପାରିବ। ଏହି ଆଇନ ଅନୁସାରେ ଇନ୍ସପେକ୍ଟର କିମ୍ବା ତାଙ୍କ ଅଧୀନସ୍ଥ ସବ ଇନ୍ସପେକ୍ଟର କିମ୍ବା ଅବଶିଷ୍ଟ ସବ ଇନ୍ସପେକ୍ଟର ମାମଲାର ତଦନ୍ତ କରିପାରିବେ । ମାତ୍ର ଜଣେ କନେଷ୍ଟବଳ କିମ୍ବା ହାବିଲଦାର ତାଲିମ ପ୍ରାପ୍ତ ହୋଇଥିଲେ ବି ଅଫିସର ଭାବରେ ତଦନ୍ତ କରିପାରିବେ ନାହିଁ। ଯେହେତୁ ଏମାନେ ଅଫିସର ରାଙ୍କର ନୁହନ୍ତି ସେଥିପାଇଁ ତଦନ୍ତ ପାଇଁ ସେମାନଙ୍କୁ କେବେ ଦାୟିତ୍ବ ଦିଆ ଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, କଟକ