କଟକ: ପୁଣି ଅଟକିଲା ASO ନିଯୁକ୍ତି ପରୀକ୍ଷା ମାମଲାର ଶୁଣାଣି । ପୂଜା ଛୁଟି ପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଜଣିକିଆ ବିଚାରପତିଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ରିଟ୍ ଅପିଲର ଶୁଣାଣି ଦୁର୍ଗାପୂଜା ଅବକାଶ ପରେ ହେବ ବୋଲି କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି । ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଓପିଏସସି ପକ୍ଷରୁ ପୃଥକ ରିଟ୍ ଅପିଲ ଦାୟର କରାଯାଇଥିବା ନେଇ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା । ତେବେ ସମସ୍ତ ରିଟ ଅପିଲର ଦଶହରା ଅବକାଶ ପରେ ଏକତ୍ର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଣିକିଆ ବିଚାରପତିଙ୍କ ରାୟକୁ ସ୍ଥଗିତ ରଖିବାକୁ ଅଗଷ୍ଟ ୯ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ, 2 ମାସ ଭିତରେ ସାନି ତାଲିକା ପ୍ରକାଶ ନିର୍ଦ୍ଦେଶ
ତେବେ ASO ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ଓଡିଶା ହାଇକୋର୍ଟ । ଚୟନ ପ୍ରକ୍ରିୟାର ଅଗ୍ରଗତି ଉପରେ ପୂର୍ବରୁ ହାଇକୋର୍ଟ ରୋକ ଲଗାଇଛନ୍ତି । ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ଏହି ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ । ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଡିଭିଜନ ବେଞ୍ଚ ଏହି ରହିତାଦେଶ ଜାରି କରିଛନ୍ତି । ସିଙ୍ଗିଲ ବେଞ୍ଚଙ୍କ ଅର୍ଡରକୁ ଚ୍ୟାଲେଞ୍ଜ କରି ଡିଭିଜନ ବେଞ୍ଚରେ ମାମଲା ଦାୟର କରିଥିଲେ ଆବେଦନକାରୀ । ASO ଚୟନ ପ୍ରକ୍ରିୟାରେ ଅନିୟମିତତା ମାମଲାର ଶୁଣାଣି କରି ଜଣିକିଆ ଖଣ୍ଡପୀଠ ହାଇକୋର୍ଟଙ୍କ ପୂର୍ବ ରାୟକୁ କାଏମ ରଖିଥିଲେ ।
ପୂର୍ବ ରାୟର ପୁନର୍ବିଚାର ପାଇଁ ଦାୟର ହୋଇଥିଲା ରିଭ୍ୟୁ ପିଟିସନ । ସେହି ରାୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିଲା ଆଉ ଏକ ରିଟ ପିଟିସନ । ଉଭୟ ମାମଲାର ଏକକାଳୀନ ଶୁଣାଣି କରି ଖାରଜ କରିଥିଲେ ହାଇକୋର୍ଟର ଜଣିକିଆ ବେଞ୍ଚ । OPSC ପକ୍ଷରୁ ଜାରି ମେରିଟ ଲିଷ୍ଟକୁ ଖାରଜ କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟ ଗତ ମେ 19ରେ ରାୟ ପ୍ରଦାନ କରିଥିଲେ ।
ଏହାମଧ୍ୟ ପଢନ୍ତୁ..ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ଖାରଜ: OPSC ଆଗରେ ଶତାଧିକ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ
ASO ନିଯୁକ୍ତି ଅନିୟମିତତା ମାମଲାରେ OPSCର ମେରିଟ ଲିଷ୍ଟକୁ ଗତ ମେ' 19 ତାରିଖରେ ଖାରଜ କରିଥିଲେ ହାଇକୋର୍ଟ । ମୋଟ (Aggregate) ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ OPSCକୁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଥିଲା । ଓପିଏସସି ଅଧୀନରେ ହୋଇଥିବା ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଆବେଦନକାରୀ । ହାଇକୋର୍ଟରେ ଦାୟର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ବୈଧ ବୋଲି କହିଥିଲେ କୋର୍ଟ । ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ । ତେବେ ୨୦୧୬ ବିଜ୍ଞପ୍ତି ଅନୁଯାୟୀ ଆଉ ଥରେ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଇଟିଭି ଭାରତ, କଟକ