କଟକ: ବାଲୁଖଣ୍ଡ- କୋଣାର୍କ ଅଭୟାରଣ୍ୟ ପରିସରରେ କୋଣାର୍କ ଏନଏସସି ପକ୍ଷରୁ ସାନିଟେସନ ପାର୍କ ପାଇଁ କରାଯାଉଥିବା ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ।
୧୯୮୭ ମସିହାରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ଘୋଷଣା କରାଯାଇଥିଲା ବେଳେ ୭୦ ଏକର ପରିମିତ ଜମିରେ ଏହି ଅଭୟାରଣ୍ୟ ରହିଛି। ଅଭୟାରଣ୍ୟର ଇକୋ ସେନ୍ସେଟିଭ୍ ଜୋନରେ ୨ ଟି ପ୍ଲଟରେ କୋଣାର୍କ ଏନଏସସି ସାନିଟେସନ ପାର୍କ କରିବାକୁ ନିର୍ମାଣ କାମ କରୁଥିଲା। ହାଇକୋର୍ଟରେ ଓଡିଶା ବାଇଓଡା଼ଇଭରସିଟି କନଜରଭେସନ ଫାଉଣ୍ଡେସନ ପକ୍ଷରୁ ଏହାକୁ ବିରୋଧ କରି ଚ୍ୟାଲେଞ୍ଜ କରାଯାଇଥିଲା।
ରାଜ୍ୟ ସରକାରଙ୍କ ସମେତ ୧୭ ଜଣଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରହିତାଦେଶ ଜାରି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ 4 ତାରିଖକୁ ଧାର୍ଯ୍ୟ କରାଯାଇଛି। ପକ୍ଷ ରଖି ନଥିବା ପ୍ରତିପକ୍ଷ ମାନେ ଏହାରି ମଧ୍ୟରେ ନିଜ ନିଜର ପକ୍ଷ ରଖିବାକୁ ହାଇକୋର୍ଟ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ