କଟକ: ହିନ୍ଦୁ ନବବର୍ଷ ମହୋତ୍ସବ ସମିତି ପାଳିବ ହିନ୍ଦୁ ନବ ବର୍ଷ ଅଭିନନ୍ଦନ । ବିଗତ 7 ବର୍ଷ ଧରି କଟକରେ ଏହି କମିଟି ଦ୍ୱାରା ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ହିନ୍ଦୁମାନଙ୍କର ସନାତନୀ ନବ ବର୍ଷ ପାଳନ ହୋଇ ଆସୁଛି । ଏନେଇ କଟକର ସମସ୍ତ ଜନସାଧାରଣ ମିଶିକି ଏହି ଦିନକୁ ଧୁମଧାମରେ ପାଳନ କରନ୍ତି । ଚଳିତବର୍ଷ ମାର୍ଚ୍ଚ 22 ତାରିଖରେ ଏହି ପବିତ୍ର ଦିନ ପାଳନ ହେବାକୁ ଥିବା ବେଳେ ଏନେଇ କଟକର ବ୍ୟାପକ ଆୟୋଜନ କରାଯାଇଛି । ଏହି ଉପଲକ୍ଷେ କଟକ ପରିକ୍ରମା କରିବ ଏହି ସମିତି ।
ଏଥିସହ ହିନ୍ଦୁ ଧର୍ମ ଆଧାରରେ ସଂକୀର୍ତ୍ତନ, ଭଜନ ଆଦି ଗାନ କରାଯାଇ ଏହି ପବିତ୍ର ଦିନରେ ସହରବାସୀଙ୍କୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରାଯିବ । ପିଠାପୁର ଅଞ୍ଚଳରେ ପ୍ରଥମେ ଏକ ହୋମଯଜ୍ଞ କରିବା ପରେ ଏକ ବିଶାଳ ପଟୁଆର ରାଲି କଟକ ପରିକ୍ରମା କରିବ। ତା ସହ ମଧ୍ୟ ରହିବ ରହିବ ଆଖଡା, ଲଉଡି ନୃତ୍ୟ । ଯାହାର ବେଶ ଉପଭୋଗ କରିବେ ସହରବାସୀ । ବର୍ତ୍ତମାନ ସମୟରେ ମଣିଷ ଯେଉଁ ନିଜ ପରମ୍ପରାଠୁ ବିମୁଖ ହେଉଛି ତାହାକୁ ମନେ ପକାଇବା ପାଇଁ ଏହି ଆୟୋଜନ କରଯାଉଛି ବୋଲି ସ୍ପଷ୍ଟ କରିଛନ୍ତି କମିଟି ସଦସ୍ୟ ।
ଏହା ମଧ୍ୟ ପଢନ୍ତୁ- ପ୍ରଣବଙ୍କୁ ଦ୍ବାରପାଳ କହିଲା କଂଗ୍ରେସ, କଡା ଜବାବ ଦେଲେ ବିଜେଡି ନେତା
ଅନ୍ୟପଟେ ଏହି ବିଶାଳ ରାଲିରେ ଶତାଧିକ ସଦସ୍ୟ ଯୋଗ ଦେବେ । ଏହି ପବିତ୍ର ଦିନର ମହତ୍ତ୍ବ ହେଲା ବ୍ରହ୍ମାଙ୍କ ଦ୍ଵାରା କାଳ ଗଣନା , ବାସନ୍ତିକ ଦୁର୍ଗାପୂଜା ଅଵସରରେ ନବରାତ୍ର ପୂଜା, ଶ୍ରୀ ରାମଙ୍କ ରାଜ୍ୟାଭିଷେକ ଯାହା ପ୍ରଚଳିତ ପାଞ୍ଜିରେ ବର୍ଣ୍ଣିତ । ତେବେ ଏହି ଦିନ ସହରର ସବୁ ମନ୍ଦିରରେ ଦୀପ ପ୍ରଜ୍ଵଳନ ସହିତ ମନ୍ଦିର ସଜାଇବା, ଘର ଘର ବୁଲି କୀର୍ତ୍ତନ କରାଯାଇଥାଏ । ତେଣୁ ଏତେ ବଡ଼ ଆୟୋଜନ ପାଇଁ କଟକ ମହାନଗର ନିଗମ ଓ କମିଶନରେଟର ସାହାଯ୍ୟ ମଧ୍ୟ ଲୋଡିଛନ୍ତି ସମିତି । ତେବେ ଆସନ୍ତା 22 ତାରିଖ ଦିନ କଟକରେ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହେବାକୁ ଥିବା ବେଳେ ଯାହାର ଉଦାହରଣ ସାରା ଦେଶ ରେ ଗୁଞ୍ଜିତ ହେବ । ସେହିପରି ଆଜି ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେଣୁ କଟକବାସୀ ଏହି ପବିତ୍ର ଦିନରେ ନିଶ୍ଚୟ ସହଯୋଗ କରିବେ ବୋଲି ଆଶା ରଖିଛି ସମିତି ।
ଇଟିଭି ଭାରତ, କଟକ