କଟକ: କଟକ ସହରରେ ଆଉ ରହିବନି ମୁକୁଳା ଡ୍ରେନ୍ । ସହରର ପାଞ୍ଚଟି ବଡ଼ ବଡ଼ ସବ୍-ଡ୍ରେନକୁ କଂକ୍ରିଟ କରି ଉପରେ ସ୍ଲାବ୍ ପକାଇ ବକ୍ସ ଡ୍ରେନର ରୂପ ଦିଆଯିବ । ରାଜ୍ୟ ସରକାର ଏଥିପାଇଁ ୨୧୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଟେଣ୍ଡର କରି ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସିଏମ୍ସି ମେୟର କହିଥିବା ବେଳେ, ବିରୋଧୀ ଯୋଜନାକୁ ସ୍ବାଗତ କରିଵା ସହ ଉନ୍ନତମାନର କାମ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।
ତେବେ କଟକ ସହରରେ ୫ଟି ପ୍ରମୁଖ ସବ୍ ଡ୍ରେନ୍ ବକ୍ସ ଡ୍ରେନ୍ରେ ପରିଣତ ହେବ । ମୁକୁଳା ଡ୍ରେନ୍ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ, ସହରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ତେଣୁ ସହରରେ ୮କିଲୋମିଟର ୫ଶହ୪୩ମିଟର ଡ୍ରେନକୁ ବକ୍ସ ଡ୍ରେନରେ ପରିଵର୍ତ୍ତିତ କରାଯିବ । ପ୍ରଜାତନ୍ତ୍ର ଅଫିସରୁ ଖଟିବନ ସାହି ପର୍ଯ୍ୟନ୍ତ ଯାଇଥିବା ୧୩୦୫ ମିଟର ଦୀର୍ଘ ସବ୍ଡ୍ରେନ୍, ଏସ୍ପି ଅଫିସ ନିକଟରୁ ରାଉସା ପାଟଣା ପର୍ଯ୍ୟନ୍ତ ଥିବା ୨୮୦୦ ମିଟର ଲମ୍ବ ସବ୍ ଡ୍ରେନ୍, ପୁରୀ ଘାଟର ତ୍ରିଶା ହସ୍ପିଟାଲ ନିକଟରୁ ବଜ୍ରକବାଟୀ ଛକ ପର୍ଯ୍ୟନ୍ତ ଯାଇଥିବା ୨୪୨୨ ମିଟର ସବ୍ଡ୍ରେନ୍ ଓ ୧୩୦୦ ମିଟର ଲମ୍ବ ଖାନନଗର ସବ୍ ଡ୍ରେନ୍କୁ ବକ୍ସ ଡ୍ରେନ୍ କରିବା ପ୍ରସ୍ତାବକୁ ରାଜ୍ୟ ସରକାର ମଞୁରୀ ଦେଇଛନ୍ତି ।
ଏନେଇ ସିଏମ୍ସି ମେୟର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି 5ଟି ସବ୍ଡ୍ରେନ୍କୁ ବକ୍ସ ଡ୍ରେନ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ୨୧୦କୋଟି ଟଙ୍କା ମଞୁର କରିଛନ୍ତି । ସିଏମ୍ସି ପକ୍ଷରୁ ଏନେଇ ଟେଣ୍ଡର କରି ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ପ୍ରକଳ୍ପ କାମ ସାରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମେୟର କହିଛନ୍ତି । ସେପଟେ ବିରୋଧୀ ଏହି ପ୍ରକଳ୍ପ କାମ ପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । କିନ୍ତୁ ଏହା ସହ କାମ ଯେପରି ଉନ୍ନତ ମାନର ହେବ ଏବଂ ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ରହିବ ସେ ନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବିରୋଧୀ ।
ଅଧିକ ପଢନ୍ତୁ..କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ସଫେଇ କର୍ମଚାରୀ ମୃତ
ତେବେ ସହରରେ ଜାଇକା କାମ ନେଇ ଅସନ୍ତୋଷ ଲାଗି ରହିଥିଵା ବେଳେ,ସବ୍ ଡ୍ରେନକୁ ବକ୍ସ ଡ୍ରେନ୍ରେ ପରିଣତ କରିବା ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାମରେ ଜାଇକାର ସହାୟତା ଲୋଡିଛି । ନିର୍ଦ୍ଧାରିତ ସମୟରେ ସରିବା ନେଇ ଲକ୍ଷ ରଖିଛି ସିଏମସି। ପୂର୍ବରୁ ମୁକୁଳା ଡ୍ରେନରେ ପଡି ଅନେକ ଜୀବନ ଗଲାଣି । ତେବେ ଏପରି ସ୍ଥଳେ ସବ ଡ୍ରେନକୁ ସ୍ଲାବ ଯୁକ୍ତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏନେଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସିଏମସି ।
ଇଟିଭି ଭାରତ,କଟକ