ନିଆଳି: କଟକ ଜିଲ୍ଲା ନିଆଳିର ଏକ ପୋଖରୀରେ ଭାସୁଛି ମାଆ ଓ ପୁଅର ମୃତଦେହ । ଖବର ପାଇ ଉଦ୍ଧାର କରିଛି ପୋଲିସ । ବିଶ୍ବନାଥ ମନ୍ଦିର ଦର୍ଶନ କରି ଫେରିବା ସମୟରେ ଶୌଚ ପାଇଁ ଯାଇ ମାଆ-ପୁଅଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ନିଆଳିର କୃଷ୍ଣ ପ୍ରସାଦ ପଞ୍ଚାୟତ ପୁରୁଣାସାତଙ୍ଗ ଗାଁ ନିକଟରେ ଏହି ଅଘଟଣ ଘଟିଛି ।
ରୀତା ମିଶ୍ର ନାମକ ଏକ ମହିଳା ପୁରୁଣାସାତଙ୍ଗ ନିଜ ବାପ ଘର ବୈଦ୍ଯଶ୍ବର ପଣ୍ତାଙ୍କ ଘରକୁ ଆସିଥିଲେ । ଆଜି ସକାଳେ ୮ ବର୍ଷର ପୁଅ ରଞ୍ଜିତ ମିଶ୍ରଙ୍କୁ ନେଇ ବିଶ୍ବନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ଫେରିବା ବାଟରେ ଏକ ପୋଖରୀକୁ ଶୌଚ ପାଇଁ ଯାଇ ଜଳ ସମାଧି ହୋଇଛନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ କେଉଁ କାରଣରୁ ମୃତ୍ୟୁ ଘଟିଛି ସେନେଇ ସ୍ପଷ୍ଟ ହୋଇନାହିଁ । ପ୍ରଥମେ ଶିଶୁ ପୁତ୍ର ଓ ପରେ ମାଆଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ତେବେ ଏହା ଆତ୍ମହତ୍ୟା କି ଅସାବଧାନତାରୁ ମୃତ୍ୟୁ ହୋଇଛି ତାହା ଏବେ ରହସ୍ୟ ଘେରରେ । ଘଟଣାସ୍ଥଳରେ ନିଆଳି ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଛି । ତେବେ ରୀତା ମିଶ୍ର କାକଟପୁର ଅଞ୍ଚଳର ଭିଡାବନ୍ଧରେ ବିବାହ କରିଥିଲେ ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ