କଟକ: ତନ୍ତବୁଣା ଶାଢୀ ରାଜ୍ୟର ଏକ ସ୍ବତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହି ତନ୍ତବୁଣା ଶାଢୀର ରହିଛି ବେଶ ଚାହିଦା । ରାଜ୍ୟରେ ହଜାର ହଜାର ପରିବାର ଲୁଗା ବୁଣି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ଏବେ ଲୁପ୍ତ ପ୍ରାୟ ହେବାକୁ ବସିଲାଣି ସେମାନଙ୍କର କୌଳିକ ବୃତ୍ତି । ୧୯୯୯ ମହାବାତ୍ୟା ପରଠାରୁ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି ବୁଣାକାରଙ୍କ ଭବିଷ୍ୟତ । ଠିକ୍ ସମୟରେ ମିଳୁନାହିଁ କଞ୍ଚାମାଲ କିମ୍ବା ଉପକରଣ। ଫଳରେ ନିମାପଡ଼ା ବ୍ଲକ ତୁଳସିପୁର ତନ୍ତବାୟ ସମିତି ଅଧିନରେ ଥିବା ଦୁଇଶହ ବୁଣାକାରଙ୍କ ପରିବାର ଏବେ ସଙ୍କଟରେ ।
୧୯୫୫ ମସିହାରେ ବୁଣାକାର ପରିବାର ମାନଙ୍କୁ ଆର୍ଥିକ ମାନଦଣ୍ତରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସିପୁର ନିକଟରେ ନିର୍ମାଣ କରିଥିଲେ ତନ୍ତୁବାୟ ସେବା ସମିତି। ଉଦ୍ଦେଶ୍ୟ ଥିଲା, ବୁଣାକାର ପରିବାରକୁ କଞ୍ଚା ମାଲ ଯୋଗାଇବା ସହ ବିଭିନ୍ନ ଯନ୍ତ୍ରାଂଶ ମଧ୍ୟ ପ୍ରଦାନ କରିବେ। କିଛି ବର୍ଷ ଠିକ୍ ଠାକ୍ ଚାଲିଲା। ମାତ୍ର ୧୯୯୯ ମହାବାତ୍ୟା ପରଠୁ ସବୁକିଛି ଛାରଖାର ହୋଇଗଲା । ଠିକ୍ ସମୟରେ ନା ମିଳିଲା କଞ୍ଚମାଲ ନା ଉପକରଣ। ଏପଟେ ତନ୍ତବାୟ ସମିତି ଦାୟିତ୍ଵରେ ଥିବା ସମ୍ପାଦକ ଓ ସଭାପତି ମନମୁଖୀ କାର୍ଯ୍ୟ ଯୋଗୁଁ ପ୍ରକୃତ ବୁଣାକାର ସରକାରୀ ସବୁଧାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବୁଣାକାର ପରିବାର । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ତୁଳସିପୁର ତନ୍ତବାୟ ସମିତି ସମ୍ପାଦକ ।
ସେହିପରି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତ ଠାକୁରପିଟଣା ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମିତ ହୋଇଥିଲା ଉତ୍ପାଦନ କେନ୍ଦ୍ର। ଏହି କେନ୍ଦ୍ରରେ ବୁଣାକାରମାନେ ତନ୍ତ ସାହାଯ୍ୟରେ ଲୁଗା, ଗାମୁଛା ସମେତ ବିଭିନ୍ନ ବସ୍ତ୍ର ତିଆରି କରିପାରିବେ ଏବଂ ତାଲିମ ନେଇପାରିବେ । ମାତ୍ର ଠାକୁରପାଟଣାରେ ଏହି ଉତ୍ପାଦନ କେନ୍ଦ୍ରଟି ଭାଙ୍ଗି ରୁଜି ଯିବା ସହ କେନ୍ଦ୍ର ବାହାରେ ଗଛ ଉଠିଗଲାଣି। ବିଭିନ୍ନ ସମୟରେ କେନ୍ଦ୍ରରେ ତାଲା ଝୁଲୁଛି। ଯେଉଁ କାରଣରୁ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ବୁଣାକାର ପରିବାର । ସେପଟେ କିନ୍ତୁ ତୁଳସୀପୁର ତନ୍ତବାୟ ସମିତି ସମ୍ପାଦକ ନିଜ ମୁଣ୍ତରୁ ଦୋଷ ଖସାଇ ବୁଣାକାରମାନଙ୍କ ଉପରେ ସବୁ ଦୋଷ ଲଦି ନିଜେ ଦୋଷ ମୁକ୍ତ ହୋଇଯାଇଛନ୍ତି।
ରାଜ୍ୟ ସରକାର ତୁଳସୀପୁର ତନ୍ତବାୟ ସମିତି ଅଧିନରେ ଥିବା ଦୁଇଶହ ବୁଣାକାର ପରିବାରମାନଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ବୁଣାକାର ପରିବାରଙ୍କ ପକ୍ଷରୁ ଦାବି ହୋଇଛି।
କଟକରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ