କଟକ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ପାଳି ସରକାରକୁ ପୂରିଛି 100 ଦିନ । ଗତ 3 ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କେତେ ସଫଳ ଓ ବିଫଳ ହୋଇଛନ୍ତି ସେ ନେଇ ମତ ରଖିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ।
ମୋଦି ସରକାର ଦ୍ବିତୀୟ ପାଳିରେ ଜମ୍ମୁ-କାଶ୍ମୀରରୁ ଧାରା 370 ଓ 35(ଏ) ଉଚ୍ଛେଦ କରିଛନ୍ତି । ଏନେଇ କେହି କେବେ ଚିନ୍ତା କରିନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଇତିହାସର ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଯାହା ତାଙ୍କ ସଫଳତାକୁ ସ୍ପଷ୍ଟ ଦର୍ଶାଉଛି ।
ସେହିପରି ଟ୍ରିପଲ ତଲାକ ମଧ୍ୟ ମୋଦି ସରକାରଙ୍କ ଏକ ଐତିହାସିକ ରାୟ । ଯାହାକୁ ସାରା ଦେଶ ସ୍ବାଗତ କରିଛି । ପୂର୍ବରୁ ଏହି କ୍ଷେତ୍ରରେ ମୁସଲିମ ମହିଳାଙ୍କ କୌଣସି ଅଧିକାର ନଥିଲା । ମାତ୍ର ଏହି ଆଇନ ଲାଗୁ ହେବା ପରେ ଏକ ସ୍ବାଧୀନ ଜୀବନର ଆଖ୍ୟା ପାଇଲେ ମୁସଲିମ ମହିଳା । ଖାଲି ସେତିକି ନୁହେଁ ଚନ୍ଦ୍ରଯାନ-2ର ଉତକ୍ଷେପଣ ଶ୍ରେୟ ମଧ୍ୟ ଏହି 100 ଦିନ ମଧ୍ୟରେ ସାମିଲ ରହିଛି ।
ଦେଶରେ ନୂଆ ମୋଟର ଯାନ ଆଇନର ପ୍ରଣୟନ ହୋଇଛି । ଯାହାଦ୍ବାରା ସଚେତନତା ବୃଦ୍ଧି ପାଇଛି । ଏତତବ୍ୟତୀତ ଅନେକ ଆତଙ୍କୀଙ୍କୁ ବିଶ୍ଵଦରବାରରେ ଆତଙ୍କବାଦୀ ଘୋଷଣା କରିବା ଏକ ଉଲ୍ଲେଖନୀୟ ଘଟଣା । ମୋଟାମୋଟି କହିବାକୁ ଗଲେ ମୋଦି ସରକାର ଏହି 100 ଦିନ ମଧ୍ୟ ଅନେକ ଐତିହାସିକ କାମ ସମ୍ପାଦନ କରିଛନ୍ତି ।
ଅପରପକ୍ଷେ ତାଙ୍କ ସଫଳତା ପରି ଯଦି ବିଫଳତା ଉପରେ ନଜର ପକାଇବ ତେବେ ଅନେକ କଥା ସାମନାକୁ ଆସିବ । ଦର ଦାମ ବୃଦ୍ଧି, କଳା ଧନ ସ୍ବଦେଶ ଫେରିବା, ବେକାରୀ ସମସ୍ୟା ଇତ୍ୟାଦି ଉପରେ ସମାଧନର ବାଟ ଖୋଜିବାରେ ବିଫଳ ହୋଇଛନ୍ତି ମୋଦି ସରକାର । ଯାହାକୁ ନେଇ ସାଧାରଣ ଜନତା ହନ୍ତସନ୍ତ ହୋଇଛନ୍ତି । ଏଥିସହିତ ନୂଆ ମୋଟରଯାନ ଆଇନ ଯେଉଁ ଢ଼ଙ୍ଗରେ ସେପ୍ଟେମ୍ବର 1ରୁ ଲାଗୁ କରାଗଲା ତାହା ମଧ୍ୟ ସାଧାରଣ ଜନତାଙ୍କ ଗ୍ରହଣୀୟ ହୋଇପାରିନାହିଁ । ଆଇନ ଲାଗୁ ହେବାର ଗୋଟିଏ ମାସ ପୂର୍ବରୁ ଦେଶବାସୀଙ୍କୁ ସତର୍କ କରାଯାଇଥାନ୍ତା, ତେବେ ଆଜି ଓଡିଶାରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିନଥାନ୍ତା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ