କଟକ: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ (Cm Naveen Cuttack Visit) ବିରୋଧ କରି ମୌନବ୍ରତରେ ବସିଲେ କଟକ ବାରବାଟୀ ବିଧାୟକ (Mla Mohammad Moquim hold Protest) ।
ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସି ସାରା ରାଜ୍ୟରେ ବୁଲୁଛନ୍ତି କିନ୍ତୁ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଷୟରେ ଆଲୋଚନା କରୁନାହାଁନ୍ତି ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ ।
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ସମୟରେ ପୁରୀଘାଟ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ଥିବା ସତ୍ତ୍ବେ ପ୍ରତ୍ୟାଖ୍ୟାନ କରି ଧାରଣାରେ ବସିଛନ୍ତି ବିଧାୟକ ମୋକିମ ।
କଟକ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ କଟକ ଆସିଛନ୍ତି ସେଥିପାଇଁ ତାଙ୍କୁ ବିରୋଧ କରିନାହାଁନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ବିଭିନ୍ନ ଅଞ୍ଚଳ ଯାଇ ପାରୁଥିବା ବେଳେ ବିଧାନସଭା ନଯିବା ଓ ଲୋକଙ୍କର ସ୍ବାର୍ଥ ସମ୍ପର୍କରେ ଆଲୋଚନା ନକରିବାକୁ ବିରୋଧ କରିଛନ୍ତି। ଏହାକୁ ନେଇ ବିଧାୟକ ମହମ୍ମଦ ମୋକିମ ଧାରଣାରେ ବସିଛନ୍ତି।
ସୂଚନାଥାଉକି ସୋମବାର ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି । ଏଥି ସହିତ କଟକ ଜିଲ୍ଲାରେ ଅନ୍ୟ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜିଲ୍ଲାରେ ପାଖାପାଖି ୫ ଲକ୍ଷ ୫ ହଜାରରୁ ଅଧିକ ହିତାଧିକାରୀ କାର୍ଡ ଦ୍ବାରା ଉପକୃତ ହେବେ । କାର୍ଡ ବିତରଣ ପରେ ଜିଲ୍ଲାରେ ୨୬୭ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ୧୪୫୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ