କଟକ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ବିବାହ ମାମଲାରେ ଆଜି କଟକ ସବ୍ରେଜିଷ୍ଟ୍ରାର ଅଫିସରେ ହାଜର ହୋଇଥିଲେ ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ । କିନ୍ତୁ ବିବାହ ପଞ୍ଚିକରଣ ଅଧିକାରୀଙ୍କ ନିର୍ଦେଶ ସତ୍ତ୍ବେ ହାଜର ହେଲେ ନାହିଁ ବିଜୟଶଙ୍କର । ବିଜୟଶଙ୍କରଙ୍କୁ ବିବାହ ପାଇଁ ଆବେଦନ କରିଥିବା ମହିଳା ପ୍ରତ୍ୟୁଷା ନନ୍ଦ ମଧ୍ୟ ବିବାହ ପଞ୍ଚିକରଣ ଅଧିକାରୀଙ୍କ ନିକଟରେ ହାଜର ହୋଇନଥିଲେ । ସେପଟେ ସୋମାଲିକା ବିବାହ ପଞ୍ଚିକରଣ ଅଧିକାରୀଙ୍କ ନିକଟରେ ଏକାକୀ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ସୋମାଲିକା ବିବାହ ପଞ୍ଚିକରଣ ଅଧିକାରୀଙ୍କ ନିକଟରେ ୨ ଜଣ ସାକ୍ଷୀଙ୍କୁ ହାଜର କରାଇବା ପାଇଁ ଅନୁମତି ମାଗିଥିଲେ । ଫଳରେ ବିବାହ ପଞ୍ଚିକରଣ ଅଧିକାରୀ ତାଙ୍କୁ ୧୫ ଦିନ ପରେ ଅର୍ଥାତ ଆସନ୍ତା ୨୧ ତାରିଖ ଦିନ ସାକ୍ଷୀଙ୍କ ସହ ହାଜର ହେବାପାଇଁ କହିଛନ୍ତି ।
ପ୍ରକାଶ ଯୋଗ୍ୟ, ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଜଣେ ମହିଳାଙ୍କୁ ବିବାହ ପାଇଁ କଟକ ସବ୍ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି ବିଜୟଶଙ୍କର । କିନ୍ତୁ ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ ମଧ୍ୟ କରିଛନ୍ତି ସୋମାଲିକା । ବିଶେଷ କରି ଉଭୟ ବିଜୟ ଓ ତାଙ୍କ ବାନ୍ଧବୀ ମିଥ୍ୟା ତଥ୍ୟ ଦେଇ ଥିବା ଅଭିଯୋଗ କରିଛନ୍ତି ସୋମାଲିକା । ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ବିବାହ ମାମଲାରେ ପୂର୍ବରୁ କଟକ ସବ୍ରେଜିଷ୍ଟ୍ରାର ଅଫିସରେ ହାଜର ହୋଇଥିଲେ ସୋମାଲିକା । ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ନେଇ କଟକ ସବ୍ରେଜିଷ୍ଟ୍ରାର ଅଫିସକୁ ଅବଗତ କରିଛନ୍ତି ସୋମାଲିକା । ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ ପାଇଁ ସବ୍ରେଜିଷ୍ଟ୍ରାର ଅଫିସରେ ହାଜର ହୋଇଥିଲେ ସୋମାଲିକା । ତେବେ ଏନେଇ ସେ ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରସ୍ତ ମଧ୍ୟ ହୋଇଛନ୍ତି । ବିଜୟଙ୍କ ବିବାହ ଆବେଦନକୁ ରୋକିବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ନ୍ୟାୟ ନମିଳିବା ଯାଏଁ ଲଢେଇ କରିବି: ସୋମାଲିକା ଦାସ
କାହିଁକି ଅବଜେକ୍ସନ କଲେ ସୋମାଲିକା ?: ତେବେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବି ବୋଲି ସୋମାଲିକା କହିଛନ୍ତି । ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ କରିଛନ୍ତି ସୋମାଲିକା । ଗତ ୮ ମାସ ତଳେ ଉଭୟ ସୋମାଲିକା ଓ ବିଜୟ ବିବାହ ପାଇଁ ସବ୍ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜୟ ଏଥିରେ ସହଯୋଗ କରିନଥିବା ସୋମାଲିକା ଅଭିଯୋଗ କରିଥିଲେ । ବିଜୟ ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ କଟକ ସବ୍ରେଜିଷ୍ଟ୍ରାରରେ ଆବେଦନ କରିଛନ୍ତି, ସେଥିରେ ଅବଜେକ୍ସନ କରିଥିଲେ ସୋମାଲିକା । ଜଣେ ସ୍ବେଚ୍ଛାସେବୀଙ୍କ ସହ କଟକ ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଆକାରରେ ଅବଜେକ୍ସନ କରିଥିଲେ । ସେହିପରି ବିଜୟଶଙ୍କର ବୟସରେ ଜାଲିଆତି କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ସୋମାଲିକା ।
ଏମିତି ଥିଲା ଘଟଣା: ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନଥିବା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସବ୍ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ । ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ ବିଜୟ । ପ୍ରତ୍ୟୁଷା ନନ୍ଦ ନାମକ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବିଜୟ ଆବେଦନ କରିଥିଲେ । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା, ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ଏନେଇ କଟକ ସବ୍ରେଜିଷ୍ଟ୍ରାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଥିଲେ । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା । ସୋମାଲିକାଙ୍କ ଅଭିଯୋଗ ବିଜୟଶଙ୍କରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରି ରଖିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଧାୟକ ବିଜୟଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଜୟ ଶଙ୍କର କ୍ଲିନଚିଟ୍ ପାଇ ନାହାନ୍ତି । ଏଭଳି ସ୍ଥିତିରେ ବିଜୟଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଛନ୍ତି ।
ଇଟିଭି ଭାରତ, କଟକ