ନିଆଳି: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଆରମ୍ଭ କଲେଣି ବିଭିନ୍ନ ଦଳ । ହେଲେ ଶାସକ ବିଜେଡିକୁ ଘାରିଛି ବିଦ୍ରୋହର ଭୟ । କାରଣ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଦଳରୁ ଏବେ ଏକାଧିକ ଆଶାୟୀ । ତେବେ ଲଗାତାର ଭାବରେ ନିଆଳି ବିଧାନସଭା ଆସନ ବିଜେଡି ଅକ୍ତିଆରରେ ରହି ଆସୁଛି । ଏଥର କିନ୍ତୁ ଶାସକ ଦଳରୁ ଅଧ ଡର୍ଜନ ଆଶାୟୀ । ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ଏଠାରେ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆରମ୍ଭ ହେଲାଣି କସରତ । କିଏ ଗାଁ ଗଣ୍ତାରେ ଭୋଟର ମାନଙ୍କୁ ଏକାଠି କରି କର୍ମୀ ସମ୍ମିଳନି କଲେଣି ତ, ଆଉ କିଏ ବିଭିନ୍ନ ପୂଜା ପର୍ବରେ ସାମିଲ ହୋଇ ନିଜ ସପକ୍ଷରେ ସମର୍ଥନ ଗୋଟାଉଛନ୍ତି ।
୨୦୦୯ରୁ ବିଜେଡି ଅକ୍ତିଆରରେ ନିଆଳି: କଟକ ଜିଲ୍ଲାର ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ୨୦୦୯ ମସିହାରେ ନିଆଳି ନିର୍ବାଚନ ମଣ୍ଡଳୀ ଭାବେ ନାମିତ ହୋଇଛି । ସେବେଠାରୁ ଏହି ଆସନ ବିଜେଡି ଅକ୍ତିଆରରେ ରହି ଆସିଛି । ବିରୋଧି ଦଳମାନେ ଏଠାରେ ଅମାନତ ହରାଇ ଆସୁଛନ୍ତି । ତତ୍କାଳୀନ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରେ ବିଜେଡି ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ ପଞ୍ଚାନନ କାନୁନଗୋ । ପରବର୍ତ୍ତୀ ନିର୍ବାଚନରେ ଅର୍ଥାତ୍ ୨୦୦୪ରେ ଏଠାରେ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ମଲ୍ଲିକ ବିଜୟୀ ହୋଇଥିଲେ । କିନ୍ତୁ ଏହା ପରଠାରୁ ନିଆଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଲଗାତାର ଭାବେ ୩ ଥର ବିଜୟୀ ହୋଇଛନ୍ତି । ୨୦୦୯ରେ ସେ ପ୍ରଥମେ ୫୦ ହଜାର ୬୫୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୨୦୧୪ ନିର୍ବାଚନରେ ୨୫ ହଜାର ୮୦୯ ଓ ୨୦୧୯ରେ ୨୭ ହଜାର ୭୦୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଆସୁଛନ୍ତି ପ୍ରମୋଦ । ତେବେ ଭୋଟ ହାର କମିଥିଲେ ମଧ୍ୟ ବିଜେଡି କିନ୍ତୁ ନିଆଳିକୁ ନିଜ ଦଖଲରେ ରଖି ଆସୁଛି । ହେଲେ ଏଥର ୨୦୨୪ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
ଚତୁର୍ଥ ପାଳି ସମ୍ଭାଳିବା ପାଇଁ ବିଧାୟକଙ୍କ ଦୃଢ଼ୋକ୍ତି: ବର୍ତ୍ତମାନର ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ଗତଥର ନିର୍ବାଚନ ସମୟରେ ଅନେକ କସରତ କରି ଶେଷ ମୁହୂର୍ତ୍ତରେ ଟିକେଟ ପାଇ ବିଜୟୀ ହୋଇଥିଲେ । ସେ ମଧ୍ୟ ଦିନରାତି ଏକ କରି ନିଆଳି କର୍ମୀ ଏବଂ ଭୋଟରଙ୍କ ସହିତ ବିଭିନ୍ନ ସମୟରେ ନିଜକୁ ସାମିଲ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚିବା ଏବଂ ଦଳର ଭାବ ମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇଛନ୍ତି । ତେଣୁ ସେ ୨୦୨୪ରେ ଚତୁର୍ଥ ଥର ନିଆଳିରୁ ବିଧାୟକ ହେବା ପାଇଁ ଆଶା ରଖିବା ସହିତ ବିଜେଡି ଟିକେଟ ଥୟ ବୋଲି କହିଛନ୍ତି । ବିଧାୟକଙ୍କ ସମର୍ଥକ ଓ କର୍ମୀ ମଧ୍ୟ ଚତୁର୍ଥ ଥର ପାଇଁ ନିଆଳିରୁ ବିଜେଡି ଦଳରୁ ଟିକେଟ ପାଇବା ସହ ଚତୁର୍ଥ ପାଳି ସମ୍ଭାଳିବେ ବୋଲି ଦୃଢ଼ୋକ୍ତି ବାଢିଛନ୍ତି ।
ଆଶାୟୀଙ୍କ ଲମ୍ବା ତାଲିକା: ତେବେ ଏହି ରେସ୍ରେ ୨୦୧୪ ମସିହାରୁ ନିଜକୁ ସାମିଲ କରିଛନ୍ତି ଆଉଜଣେ ପ୍ରମୋଦ ମଲ୍ଲିକ । ସେ ହେଉଛନ୍ତି ଅବସରପ୍ରାପ୍ତ କୃଷି ଅଧିକାରୀ । ତାଙ୍କ ବାପା ସ୍ବଗର୍ତ କଣ୍ଡୁରୀ ଚରଣ ମଲ୍ଲିକ ଜଗତସିଂହପୁର ଓ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ । ପ୍ରମୋଦ ୨୦୧୪ ଏବଂ ୨୦୧୯ ନିର୍ବାଚନ ପରେ ୨୦୨୪ ନିର୍ବାଚନ ପାଇଁ ବିଜେଡି ଟିକେଟ ଆଶାରେ ଅଛନ୍ତି । ସେହିପରି ଆଉଜଣେ ବିଜେଡି ଦଳର ସାଙ୍ଗଠନିକ ନେତା ବିପିନ ବିହାରୀ ବେହେରା । ସେ ମଧ୍ୟ ୨୦୧୯ ମସିହା ନିର୍ବାଚନ ସମୟରୁ ଟିକେଟ ଆଶାରେ ରହିଛନ୍ତି । ଆଉଜଣେ ଯୁବକ ହେଉଛନ୍ତି ତୃପ୍ତି ରଞ୍ଜନ ବେହେରା । ସେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଦୀର୍ଘ ବର୍ଷ ସାମିଲ ହେବା ସହ ଚାଷ ଓ ଚାଷୀ ମାନଙ୍କ ପାଇଁ ସଂଗ୍ରାମ କରି ଆସୁଛନ୍ତି । ସେ ମଧ୍ୟ ବିଜେଡିରୁ ଟିକେଟ ଲବିରେ ଅଛନ୍ତି । ଯଦି ପ୍ରାର୍ଥୀ ପରିବର୍ତ୍ତନ ନହୁଏ, ବିଜେଡି ପାଇଁ ଅସୁବିଧା ହୋଇପାରେ ବୋଲି ସେ ମତ ରଖିଛନ୍ତି ।
ସେହିପରି ନୂଆମୁହଁ ଭାବରେ ଉଭା ହୋଇଛନ୍ତି ଆଉ ଜଣେ ଚର୍ଚ୍ଚିତ ଚେହେରା ପ୍ରସନ୍ନ କୁମାର ମଲ୍ଲିକ । ସେ ଏବେ ଭାରତ ସରକାରଙ୍କ ବୃହତ୍ ଶିଳ୍ପ ନାଲ୍କୋରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳରେ ତୁହାକୁ ତୁହା କର୍ମୀ ସମ୍ମିଳନୀ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେହିପରି ବିଳାଶୁଣୀ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସୁବାସ ମଲ୍ଲିକ ମଧ୍ୟ ଟିକେଟ ରେସରେ ରହିବା ସହ ଘନଘନ କର୍ମୀ ସମ୍ମିଳନୀ ଏବଂ ଗାଁ ଗଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିବା ଦେଖିବାକୁ ମିଳିଛି । ସେପଟେ ନିଆଳି ବ୍ଲକ ଅଲଣା ପଞ୍ଚାୟତର ସରପଞ୍ଚଙ୍କ ପୁଅ ଅମୀୟ କୁମାର ମଲ୍ଲିକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।
ଆଗାମୀ ଦିନରେ ଆହୁରି ଅନେକଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିପାରେ । ଅନ୍ୟ ପକ୍ଷରେ ନିଆଳି ଭୋଟରଙ୍କ କହିବା କଥା, ବିଜେଡି ଦଳରୁ ଯିଏ ଟିକେଟ ପାଇବ ସେ ଜିତିବ । ଏଥିରେ ସନ୍ଦେହ ନାହିଁ । ତେବେ ବିଜେଡି ଦଳର ମୁଖିଆ ଆସନ୍ତା ନିର୍ବାଚନ ପାଇଁ ନିଆଳି ବିଧାନସଭା ଆସନରୁ କାହା ମୁଣ୍ଡରେ ସୁନା ମୁକୁଟ ପିନ୍ଧାଉଛନ୍ତି, ତାହା ଭବିଷ୍ୟତ କହିବ ।
ଇଟିଭି ଭାରତ, ନିଆଳି