କଟକ: ହାଇକୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା ନାଗ । କମିଶନରେଟ ପୋଲିସ ମାମଲାରେ କଲେ ଏହି ଆବେଦନ । ପୂର୍ବରୁ ତଳ କୋର୍ଟରେ ତାଙ୍କ ଜାମିନ ଆବେଦନ ରଦ୍ଦ ହୋଇଥିଲା । ହାଇପ୍ରୋଫାଇଲ ବ୍ଲାକମେଲ ଘଟଣାରେ ଗିରଫ ହୋଇଥିବା ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର ପାତ୍ର ଏବେ ଝାରପଡ଼ା ଜେଲରେ ଅଛନ୍ତି ।
ସେପଟେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କଠାରୁ ଜବତ ହୋଇଥିବା ଲାପଟପ୍, ମୋବାଇଲର ଫରେନ୍ସିକ ରିପୋର୍ଟରେ କିଛି ତଥ୍ୟ ନାହିଁ । ଯାହାକୁ ନେଇ ବିଚଳିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ଏନେଇ ଷ୍ଟେଟ ଫରେନ୍ସିକ ରିପୋର୍ଟ ଉପରେ ଭରସା ନକରି ନିଜେ ସେ ସବୁ ଲାପଟପ୍ ଓ ମୋବାଇଲକୁ ଇଡି ତଦନ୍ତ କରିବ ବୋଲି ଜଣାପଡ଼ିଛି । ଏନେଇ ଇଡି ମଧ୍ୟ ହାଇକୋର୍ଟରେ ଆବେଦନ କରିପାରେ ବୋଲି ଜଣାପଡ଼ିଛି । ନିଜର ସାଇବର ଏକ୍ସପର୍ଟ ବା ସଫ୍ଟୱେର ଏକ୍ସପର୍ଟଙ୍କ ଜରିଆରେ ଅର୍ଚ୍ଚନାଙ୍କ ମୋବାଇଲକୁ ଯାଞ୍ଚ ପାଇଁ ଇଡି ପ୍ରସ୍ତୁତ ହୋଇଛି । ଯେଉଁଥିରୁ କିଛି ତଥ୍ୟ ମିଳିବ ବୋଲି ଇଡି ଆଶା କରିଛି । ତେଣୁ ଷ୍ଟେଟ ଫରେନ୍ସିକ ଟିମ ଦେଇଥିବା ତଥ୍ୟକୁ ଭରସା ନକରି ନିଜେ ତଦନ୍ତ ପାଇଁ ହାଇକୋର୍ଟଙ୍କ ସାହାରା ନେବାକୁ ଅଣ୍ଟା ଭିଡିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।
ଅନ୍ୟପଟେ ଅଧିକ ତଥ୍ୟ ଓଗାଳିବା ପାଇଁ ଜେଲରେ ଥିବା ଅର୍ଚ୍ଚନା ଓ ଖଗେଶ୍ବରଙ୍କୁ ପଚରାଉଚରା ପାଇଁ ଜିଲ୍ଲା ଦୌରାଜଜଙ୍କ ଅନୁମତି ଲୋଡିଛି ଇଡି । ଏନେଇ କୋର୍ଟରେ ଆବେଦନ ପରେ କୋର୍ଟ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଇଡି ଆବେଦନରେ ଦର୍ଶାଇଛି ଯେ ଆସନ୍ତା ୫ ତାରିଖରୁ ଜେଲକୁ ଯାଇ ଅର୍ଚ୍ଚନା ଓ ଖଗେଶ୍ବର ପାତ୍ରଙ୍କୁ ପଚରାଉଚରା କରିବାକୁ ଚାହୁଁଛି । ଖଗେଶ୍ବରଠାରୁ ଜବତ ହୋଇଥିବା ୪ଟି ମୋବାଇଲରୁ ଇଡି କିଛି ସୁରାକ୍ ପାଇଥିବା ଜଣାପଡ଼ିଛି । ଯାହାକୁ ନେଇ ପଚରାଉଚରା କଲେ ଇଡି ତଦନ୍ତରେ ସହଯୋଗ ହେବ ବୋଲି କୋର୍ଟକୁ ଜଣାଥିଲା ଇଡି । ଅନ୍ୟପଟେ ଅର୍ଚ୍ଚନାଙ୍କ ଓକିଲଙ୍କ ପକ୍ଷରୁ ମଧ୍ୟ ତଦନ୍ତ ବେଳେ ତାଙ୍କ ଓକିଲ ଉପସ୍ଥିତ ରହିବା ପାଇଁ ଅର୍ଚ୍ଚନାଙ୍କ ଓକିଲ ଠାକୁର ରଣଜିତ ସିଂହ କୋର୍ଟଙ୍କୁ ଜଣାଇଛନ୍ତି । ତେବେ କୋର୍ଟଙ୍କ ଆଦେଶନାମା ଆସିଲେ ଆସନ୍ତା ୫ ତାରିଖରେ ଝାରପଡ଼ା ଜେଲକୁ ଯାଇ ଅର୍ଚ୍ଚନା ଓ ଖଗେଶ୍ବରକୁ ପଚରାଉଚରା କରିପାରେ ଇଡି ।
ଇଟିଭି ଭାରତ, କଟକ