କଟକ: ଏକାଠି ହୋଇ ବସିଛନ୍ତି ପିଲାଏ । କଳାପଟା ଅଛି ଶିକ୍ଷକ ବି ଅଛନ୍ତି । ଆଉ ପାଠପଢା ବି ଚାଲିଛି । ଏ କୌଣସି ବିଦ୍ୟାଳୟରେ ପାଠପଢାର ଦୃଶ୍ୟ ନୁହେଁ ବରଂ ଏକ ମନ୍ଦିରରେ । ମହାଦେବଙ୍କ ଭରସାରେ ଦୀର୍ଘ 7 ବର୍ଷ ହେବ ଏହି ପରି ମନ୍ଦିରରେ ପାଠ ପଢୁଛନ୍ତି ସ୍କୁଲପିଲା । ନା କବାଟ ଝରକା ଅଛି ନା କାନ୍ଥ ଖୋଲାମେଲାରେ ବର୍ଷ ବର୍ଷ ଧରି ଶିବ ମନ୍ଦିର ପ୍ରାଙ୍ଗଣରେ ଚାଲିଛି ସ୍କୁଲ । ସ୍କୁଲ କହିଲେ ଏହି ଶିବ ମନ୍ଦିର ବାରଣ୍ଡା । ଏହା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ମୂର୍କୁଣ୍ଡିର ବାଣେଶ୍ବର ଶିବ ମନ୍ଦିରରେ । ଏହପରି ଭାରେ ମନ୍ଦିରରେ ଚାଲିଛି ପାଠପଢା ।
ସ୍କୁଲର ବହୁବିଧ ସମସ୍ୟା ଥିବାରୁ ଏହିପରି ଭାବେ ମନ୍ଦିରେ ପାଠପଢା ଚାଲିଛି । କାନ୍ଥକୁ ଡେରା ହୋଇ କଳାପଟା ରହଛି । ଦୁଇଜଣ ଶିକ୍ଷକ ପାଠ ପଢାଛନ୍ତି । ବର୍ଷା ହେଲେ ଓଦା ଆଉ ଖରା ଦିନେ ପ୍ରବଳ ଗରମ ଭିତରେ ଏମିତି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । କେତେବେଳେ ମାଙ୍କଡ ତ ପୁଣି କୁକୁରଙ୍କ ଭୟ ପର୍ବପର୍ବାଣୀ ହେଲେ ପାଠ ପଢା ଠପ । ଦୀର୍ଘ 7ବର୍ଷ ଧରି ଏହିପରି ଚାଲିଛି ଦାଶ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ପଞ୍ଚମ ଯାଏଁ 40ରୁ ଉର୍ଦ୍ଧ୍ବ ପିଲାଙ୍କୁ ନେଇ ଏହି ସ୍କୁଲ । ସ୍କୁଲ କହିଲେ ଏହି ଶିବମନ୍ଦିର ବାରଣ୍ଡା । ଦେବ ଦର୍ଶନ ଆଉ ପାଠ ପଢା ସବୁ ଏକା ସାଙ୍ଗରେ ଚାଲେ । ପ୍ରତିଦିନ ଦୁଇ ଜଣ ଶିକ୍ଷକ ଆସନ୍ତି ଆଉ ପାଠ ପଢେଇ ଚାଲିଯାନ୍ତି । ଖାଲି ସେତିକି ନୁହେଁ ମଧ୍ୟାହ୍ନ ଭୋଜନ ବି ପିଲାଏ ଏହି ମନ୍ଦିରରେ ଖାଆନ୍ତି । ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ଖାଆନ୍ତି ପିଲାଏ । ବର୍ଷେ କି 2 ବର୍ଷ ନୁହେଁ ଦୀର୍ଘ 7 ବର୍ଷ ହେବ ଏହିପରି ଚାଲିଥିଲା ବି ପ୍ରଶାସନର ଦୃଷ୍ଟି ପଡିନାହିଁ । ସ୍କୁଲ ସମସ୍ୟା ନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ହେଲେ ଏ ଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଏହା ବି ପଢନ୍ତୁ...ଅଟୋକୁ ଚାପିଦେଲା କୋଇଲା ବୋଝେଇ ଟ୍ରକ, ୫ ମୃତ
ପିଲାଙ୍କ ଭିତରେ ରହିଛି ବିପୁଳ ପ୍ରତିଭା ଓ ସମ୍ଭାବନା । ଆଉ ସେହି ପ୍ରତିଭା ଓ ସମ୍ଭାବନାକୁ ସଫଳ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ଶିକ୍ଷା ମନ୍ଦିର ଚକଚକ କରୁଛି । ହେଲେ କଟକ ଜିଲ୍ଲା ସାଲେପୁର ବ୍ଲକ ମୂର୍କୁଣ୍ଡି ଅଞ୍ଚଳରେ ସ୍କୁଲ ରୂପାନ୍ତରଣ ତ ଦୂରରେ ଥାଉ ପିଲାଙ୍କ ପାଠପଢା ପାଇଁ ଛାତଟିଏ ନାହିଁ । କେବଳ କାଗଜ ପତ୍ରରେ ସୀମିତ ରହିଛି ସ୍କୁଲ । ତେବେ ସରକାର ଏ ସମସ୍ୟା ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ପ୍ରକାଶ ଥାଉ କି, 2019 ମସିହାରେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଥିଲା । ଆନନ୍ଦପୁର ବ୍ଲକ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଭାଙ୍ଗିଯାଇଥିବାରୁ ପିଲାଙ୍କୁ ଶନିମନ୍ଦିରରେ ପଢିବାକୁ ପଡୁଥିଲା ।
ଇଟିଭି ଭାରତ, କଟକ