କଟକ: ଦ୍ବିତୀୟ ଖେଲୋ ଇଣ୍ଡିଆ ମହିଳା ଅସଚାଳନା ବା ଫେନ୍ସିଂ ଲିଗ କଟକରେ ଆରମ୍ଭ ହୋଇଛି । ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ 4 ଦିନ ବ୍ୟାପି ଏହି ଲିଗ ଖେଳାଯିବ । ରାଜ୍ୟ ଫେନ୍ସିଂ ସଂଘ, ଖେଲୋ ଇଣ୍ଡିଆ , ସାଇ ଓ ଭାରତୀୟ ଫେନିନ୍ସ ସଂଘର ମିଳିତ ଉଦ୍ୟମରେ ଏହି ମେଗା ଆୟୋଜନ ହୋଇଛି । ସର୍ବଭାରତୀୟ ସ୍ତରରୁ 270ରୁ ଊର୍ଦ୍ଧ୍ବ ଖେଳାଳି ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।
କ୍ୟାଡେଟ, ଜୁନିୟର ସିନିୟର ଵର୍ଗରେ କଡା ମୁକାବିଲା ଅନୁଷ୍ଠିତ ହେଉଛି । 3ଟି ଇଭେଣ୍ଟରେ ସମସ୍ତ ମ୍ୟାଚ ଖେଳାଯିବ । ମୁକାବିଲାରେ ଓଡିଶାରୁ ଭାଗ ନେଇଥିବା ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ମହିଳା ଵର୍ଗରେ ବର୍ତ୍ତମାନ 16 ନମ୍ବର ରାଙ୍କରେ ଓଡିଶା ଟିମ ରହିଛି । ଏହି ରାଙ୍କିଙ୍ଗ ପ୍ରତିଯୋଗିତାରେ ଓଡିଶାରୁ 12ଜଣ ଖେଳାଳି ଭାଗ ନେଉଛନ୍ତି । ଜିଜ୍ଞାସା ମହାନ୍ତି, ଅନ୍ବେଷା ହୋତା, ସୃତି ମହାନ୍ତି ଆଦି ଉଦୀୟମାନ ଖେଳାଳି ଏହି ରାଙ୍କିଙ୍ଗ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।
ସର୍ବ ଭାରତୀୟ ସ୍ତରୀୟ ରାଙ୍କିଙ୍ଗ ମ୍ୟାଚ ହୋଇଥିବାରୁ ଏହି ମୁକାବିଲା ବେଶ ଭଲ ହେବ ବୋଲି ଆଶା ରଖିଛି ଆୟୋଜନ କମିଟି । ରାଜ୍ୟ କ୍ରୀଡା ବିଭାଗର ସହାୟତାରେ ଆୟୋଜନ ସମ୍ଭବ ହୋଇଥିବା କହିଛନ୍ତି ରାଜ୍ୟ ସଙ୍ଘର ସମ୍ପାଦକ । ଗତ କିଛି ବର୍ଷ ତୁଳନାରେ ଓଡିଶାର ଫେନ୍ସିଂ କ୍ରୀଡାରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି । ନୂଆ କୋଚ, ନୂତନ ଟେକ୍ନୋଲୋଜିର ବ୍ୟବହାର, ଅଭ୍ୟାସ ଓ ରୀତିମତ ମ୍ୟାଚ ଖେଳିବା ଦ୍ବାରା ଓଡିଶା ବର୍ତ୍ତମାନ ଜାତୀୟ ସ୍ତ୍ରରରେ ଭଲ ପଦର୍ଶନ କରି ପାରିଛି । ପୂର୍ବରୁ ବାଳିକା ବର୍ଗରେ 2 ରୁ 3 ଜଣ ରାଙ୍କିଙ୍ଗ ତାଲିକାରେ ଅନ୍ତର୍ଭୁକ୍ତ ହେଉଥିଲେ । କିନ୍ତୁ ବର୍ତ୍ତମାନ 12 ଖେଳାଳି ଏହି ରେସରେ ସାମିଲ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଗର୍ବର ବିଷୟ।
ଏହି ପ୍ରତିଯୋଗିତାରେ ବିଜୟୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ବର୍ତ୍ତମାନ ଓଡିଶା କ୍ରୀଡା ଦିଗରେ ବ୍ୟାପକ ଅଗ୍ରଗତି କରିଥିଲା ବେଳେ ଆଗାମୀ ଦିନରେ ଏପରି ମେଗା କ୍ରୀଡା ଆୟୋଜନ କରାଯିବ ବୋଲି କହିଛନ୍ତି ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ । ଆସନ୍ତା 26 ତାରିଖ ଯାଏ ଏହି ପ୍ରତିଯୋଗିତା ଚାଲିବ । ପ୍ରଥମ ଦିନରେ କ୍ୟାଡେଟ ମହିଳା ସାବର ବ୍ୟକ୍ତିଗତ ବିଭାଗରେ ମହାରାଷ୍ଟ୍ରର ବିଶ୍ବାସ ସରସ୍ବତୀ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 25 ରାଜ୍ୟରୁ ପ୍ରାୟ 200ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି ।
ଇଟିଭି ଭାରତ, କଟକ