କଟକ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଡ଼ଗଡ଼ିଆରେ ଜମୁଛି କାଉଡ଼ିଆଙ୍କ ଭିଡ଼ । ବୋଲବମ୍ ଉଚ୍ଚାରଣରେ କମ୍ପୁଛି ଘାଟ । କାହିଁ କେତେଦୂରୁ ମାନସିକ ପୂରଣ ହେବା ନେଇ ଧାଇଁ ଆସିଛି ଭକ୍ତ । ତେବେ ଆସନ୍ତାକାଲି ଶ୍ରାବଣ ମାସର ଦ୍ବିତୀୟ ସୋମବାର ହେଇଥିବାରୁ ଆଜିଠୁ ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଇ ନିଜ ନିଜ ଗନ୍ତବ୍ୟ ପୀଠକୁ ବାହୁଡିଛନ୍ତି କାଉଡ଼ିଆ ।
ସିଲଭରସିଟି ରାସ୍ତାରେ ଗୁଞ୍ଜରିତ ହେଉଛି ବୋଲବମ ଧ୍ଵନି । ପାଣି ଉଠାଇବା ପାଇଁ ଗଡ଼ଗଡ଼ିଆ ଘାଟରେ ବଢୁଛି କାଉଡ଼ିଆଙ୍କ ଭିଡ଼ । ପ୍ରଭୁ ମହାଦେବଙ୍କ ମସ୍ତକରେ ଜଳାଭିଷେକ କରି ପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ଲକ୍ଷ୍ୟରେ ସମସ୍ତେ । ନୀତି ଅନୁସାରେ ପୂଜାପାଠ କରି ନିଜ ଆରାଧ୍ୟ ଦେବତାଙ୍କୁ ଗସ୍ତ ଆରମ୍ଭ କରିଛନ୍ତି କାଉଡ଼ିଆ ଭାଇ । ଅନ୍ୟପଟେ ଯିଏ ଗଡ଼ଗଡ଼ିଆରୁ ଜଳ ନେଇ ମହାଦେବଙ୍କ ମସ୍ତକରେ ଅଭିଷେକ କରେ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି କହିଛନ୍ତି ପୂଜକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ