କଟକ: ଏସିଆ ମହାଦେଶର ସର୍ବ ଶ୍ରେଷ୍ଠ ଧାନ ଗବେଷଣା କେନ୍ଦ୍ର ଭାବରେ କଟକ ବିଦ୍ୟାଧରପୁର ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ସୁଖ୍ୟାତି ରହିଛି । ଆଜି ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦେଶର ବିଭିନ୍ନ ରାଜ୍ୟ ପାଇଁ କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ ୯ଟି ଉତ୍ତମ କିସମର ଧାନ ଉନ୍ମୋଚିତ ହୋଇଯାଇଛି । ଏଥିପାଇଁ ପ୍ରତିଷ୍ଠାନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଧାନ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ଦେଶର ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ କିସମର ଧାନ ଉନ୍ମୋଚନ କରିଥିଲେ ।
ତାଙ୍କ ମତରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଧାନ ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଛି । ଏହି ନଅଟି କିସମର ଧାନ ଉତ୍ପାଦନ କରି ଇତିହାସ ସୃଷ୍ଟି କରିଛି । ଏଠାରେ ବହୁ ବୈଜ୍ଞାନିକ ମାନେ ଗବେଷଣା କରି ନୂତନ କିସମର ଧାନ ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଭାରତ ବର୍ଷର ବିଭିନ୍ନ ରାଜ୍ୟ ପାଇଁ ନଅଟି କିସମର ଧାନ ଉତ୍ପାଦନ କରିଛି । ପ୍ରତ୍ୟେକ କିସମରୁ ଦୁଇଟିରୁ ଏଗାରଟି ରାଜ୍ୟ ଚାଷ ପାଇଁ ଉପଯୁକ୍ତ ଭିତ୍ତି ଭୂମି ରହିଛି । ଏହି କିସମ ଗୁଡ଼ିକ ଏକାଧାରରେ ଯଥା ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ,ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁରେ ଚାଷ ପାଇଁ ଉପଯୋଗୀ ହୋଇପାରିଛି ।
ଏହା ମଧ୍ୟ ପଢନ୍ତୁ ... NRRIରେ ନୂତନ ପାଠ୍ୟକ୍ରମ ସାମିଲ, ଲାଭବାନ ହେବେ ଛାତ୍ରଛାତ୍ରୀ
ଅଖିଳ ଭାରତୀୟ ସମନ୍ଵୟ ଚାଉଳ ଅନୁସନ୍ଧାନ ପ୍ରକଳ୍ପ ଅଧୀନରେ ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା କରିପାରୁଥିବା ଧାନ କିସମ ଗୁଡିକର ବହୁମୁଖି ପରୀକ୍ଷା ଫଳାଫଳ ଭଲ ହୋଇଛି । ଯାହାର ପ୍ରମାଣ ଏହି ନଅଟି କିସମ ଧାନରୁ ମିଳିଛି । ଚଳିତ 2023 ବର୍ଷ ଓଡ଼ିଶା ପାଇଁ 11ଟି କିସମର ଧାନ ବିକଶିତ ଧାନ ଭାବରେ ପରିଣତ ହୋଇଛି । ଏଥିରେ ଅଦ୍ଭୁତ ପୂର୍ବ ସଫଳତା ମିଳିଛି ।
ଅନୁଷ୍ଠାନର ସଫଳତା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସହଯୋଗ ଫଳରେ ଆଜି ଧାନ ଉତ୍ପାଦନ କ୍ଷେତ୍ରରେ ସଫଳତା ଶୀର୍ଷ ସ୍ଥାନରେ ପହଞ୍ଚିଛି । ଆଜି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ଜି ଏକେ କୁମାରଙ୍କ ସମେତ ବହୁ ବରିଷ୍ଠ ବୈଜ୍ଞାନିକ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କଟକ