କଟକ: ହଜାର ବର୍ଷର ପୁରୁଣା ସହର କଟକ । ଆଉ ଓଡ଼ିଶାର ପୁରୁଣା ରାଜଧାନୀ ମଧ୍ୟ । ପୁରୁଣା ସହର ସହ ପାର୍ବଣର ପରମ୍ପରା ବି ବହୁ ପୁରୁଣା । ଏହି ପରିପ୍ରେକ୍ଷୀରେ କଟକରେ ଶାରଦୀୟ ଦଶହରା ପୂଜାର ସ୍ଵତନ୍ତ୍ର ମହକ ରହିଛି । ଶହ ଶହ ବର୍ଷ ଧରି ଏକା ଶୈଳୀରେ ନିର୍ମାଣ ହେଉଛି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି, ଆଉ ପରମ୍ପରା ଅନୁଯାୟୀ ପୂଜା ପାଇ ଆସୁଛନ୍ତି ଜଗତଜନନୀ ।
ଏ ହେଉଛି ବାଲୁବଜାରର ବିନୋଦ ବିହାରୀ ପୀଠ । ଯେଉଁଠି ପଡିଥିଲା କଟକ ଦଶହରା ପୂଜାର ମୂଳଦୁଆ । ନଦିଆ ନବଦ୍ବୀପରୁ ଆସିଥିବା ବାନାର୍ଜୀ ପରିବାର ଏହି ପୀଠରେ ୧୫୦୯ ରେ ଘଟପୂଜା କରିଥିଲେ । ୧୫୧୪ ରେ ଆରମ୍ଭ ହୋଇଥିଲା ମୃଣ୍ମୟୀ ମୂର୍ତ୍ତିରେ ମା' ଦୁର୍ଗାଙ୍କ ପୂଜା । ଦୀର୍ଘ ୫୦୫ ବର୍ଷ ଧରି ଏଠାରେ ପୂଜା ଆୟୋଜନ ହେଉଥିବା ବେଳେ ଇତିମଧ୍ୟରେ ଅନେକ ବିପତ୍ତିର ସାମ୍ନା କରିଛି ଏହି ପୂଜାମଣ୍ଡପ । ତଥ୍ୟ ଅନୁସାରେ ୧୮୧୭-୧୮ରେ ବଡଧରଣର ଫ୍ଲୁ ଓ ୧୮୬୫-୬୬ ରେ ନଅ'ଙ୍କ ଦୁର୍ଭିକ୍ଷର ସାମ୍ନା କରିଥିଲା କଟକ । ଏଭଳି ସ୍ଥିତିରେ ବି ଏଠାରେ ମା'ଙ୍କ ମୂର୍ତ୍ତି ଗଠନ କି ପୂଜା ଆୟୋଜନରେ ପରିବର୍ତ୍ତନ ହୋଇନଥିବା କୁହନ୍ତି ପୂଜା କମିଟିର ସଭାପତି ।
ଖାଲି ସେତିକି ନୁହେଁ ବନ୍ୟା ବାତ୍ୟା ଭଳି ଅନେକ ପ୍ରାକୃତିକ ବିପତ୍ତିର ସାମ୍ନା କରିଛି ସହର । ହେଲେ ସହରରେ ଥିବା ପୂଜା ମଣ୍ଡପରେ କେବେ ବି ମା'ଙ୍କ ପୂଜାବିଧିରେ ପଡିନଥିଲା ବାଧା । ସେହିପରି ଏ ହେଉଛି ରଜାଘରର ମେଢ ଚାନ୍ଦିନିଚୌକ ପୂଜା ମଣ୍ଡପ । ଦର୍ପଣୀ ରାଜଙ୍କ ଅମଳରୁ ଏଠାରେ ପୂଜା ପାଇ ଆସୁଛନ୍ତି ମା' ଦୁର୍ଗା ।
୧୯୨୬ ରେ ମଣ୍ଡପରେ ମା' ପୂଜା ପାଇବା ପରେ ୧୯୫୫ ରେ ବନ୍ୟାର ସାମ୍ନା କରିଥିଲା କଟକ । ଏହି ସମୟରେ ବି ମା'ଙ୍କ ପୂଜାରେ କୌଣସି ପରିବର୍ତ୍ତନ ହୋଇନଥିବା କୁହନ୍ତି ମଣ୍ଡପର ଆଜୀବନ ସଦସ୍ୟ ୭୯ ବର୍ଷର ବୃଦ୍ଧ ଫକୀର ସିଂ । ସେହିପରି ୧୭୫୨ ମସିହାରୁ ପୁରୁଷ ପୁରୁଷ ଧରି ପୂଜା କରି ଆସୁଥିବା ସର୍ପାଦୁର୍ଗା ପୂଜା ମଣ୍ଡପ ମଧ୍ୟ ସମାନ କଥା କହିଛି । ଆଜି ପୂଜାକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, କେବେ ବି ବାପା ଜେଜେଙ୍କ ଅମଳରେ ଏଭଳି ମୂର୍ତ୍ତି ଛୋଟ କିମ୍ୱା ପୂଜା କଟକଣା କଥା ଶୁଣିନଥିବା କୁହନ୍ତି କମିଟିର ସମ୍ପାଦକ ।
ଭାଇଚାରାର ସହର କଟକ ଅନେକ ସମସ୍ୟା ବିପତ୍ତିର ସାମ୍ନା କରିଛି । କିନ୍ତୁ ଚଳିତବର୍ଷ କୋରୋନାକୁ ନେଇ ମା'ଙ୍କ ମୂର୍ତ୍ତି ନିର୍ମାଣରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଅନେକଙ୍କୁ ଚକିତ କରୁଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ