କଟକ: ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗରେ ଆଇନଜୀବୀ ସଂଘକୁ ହାଇକୋର୍ଟଙ୍କ ଝଟ୍କା । ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ତେବେ କୋର୍ଟ ଏହି ପ୍ରସଙ୍ଗରେ ରହିତାଦେଶ ଜାରି କରି ନାହାନ୍ତି କିନ୍ତୁ ସରକାରୀ ମାମଲା ଏଣିକି ହାଇକୋର୍ଟରେ ଆବେଦନ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏଥିସହ ଆସନ୍ତା 5 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି।
ସୂଚନା ଯୋଗ୍ୟ, ଦୀର୍ଘବର୍ଷ ଧରି ରାଜ୍ୟ ପ୍ରଶାସନିକ ନ୍ୟାୟାଅଧିକରଣ (ସ୍ୟାଟ)ଉଛେଦକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟାଇଛନ୍ତି କେନ୍ଦ୍ର ସରକାର। ସ୍ୟାଟ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟସରକାର କରିଥିବା ଆବେଦନକୁ କେନ୍ଦ୍ରସରକାର ଗ୍ରହଣ କରିବା ସହ ରାଜ୍ୟ ନିଷ୍ପତି ଉପରେ ମୋହର ମାରିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ପରେ ସ୍ୟାଟ୍ରେ ଥିବା ମାମଲା ଏହାର କର୍ମଚାରୀଙ୍କୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି। ସ୍ୟାଟ ରେ ଉଭୟ ଭୁବନେଶ୍ବର ଏବଂ କଟକ ବେଞ୍ଚରେ ପ୍ରାୟ 70 ହଜାର ଚାକିରୀ ସମ୍ବନ୍ଧୀୟ ମାମଲା ବିଚାରଧୀନ ରହିଛି।
ଏହା ଉଚ୍ଛେଦ ହେବାପରେ ଏହିସବୁ ମାମଲାର ଭବିଷ୍ୟତ କଣ ହେବ? କିଭଳି ଏହି ମାମଲାର ତ୍ବରିତ ବିଚାର ହେବ ସେନେଇ ଆଶଙ୍କା ବ୍ୟକ୍ତ କରି ସ୍ୟାଟ୍ ଆଇନଜୀବୀ ସଂଘ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ