କଟକ: କୋରୋନା ମହାମାରୀ ଯୋଗୁଁ ଅଦାଲତ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲି ପାରୁ ନାହିଁ । ଏଣୁ ହାଇକୋର୍ଟ ବିଭିନ୍ନ ଅଦାଲତ, ଟ୍ରିବୁନାଲ ଓ ଫୋରମର ସମସ୍ତ ପ୍ରକାର ଅନ୍ତରୀଣ ନିର୍ଦ୍ଦେଶନାମାକୁ ଆସନ୍ତା ଜୁନ 30 ଯାଏଁ ବଳବତ୍ତର ରଖିଛନ୍ତି ।
ସାରା ଦେଶରେ କୋଭିଡ ସ୍ଥିତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଏପ୍ରିଲ ୨୭ ତାରିଖରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜ୍ଜୁ କରିଛନ୍ତି । ଏହାର ଶୁଣାଣି କରି ପୁର୍ବରୁ ଥିବା ସମସ୍ତ ମଧ୍ୟବର୍ତ୍ତୀକାଳୀନ ଅଦାଲତ ନିର୍ଦ୍ଦେଶନାମାକୁ ଜୁନ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମଧ୍ୟବର୍ତ୍ତୀକାଳୀନ ଜାମିନଗୁଡ଼ିକ ଜୁନ ୩୦ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି । ଉଭୟ ସିଭିଲ ଓ କ୍ରିମିନାଲ ମାମଲାରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଲାଗୁ ହୋଇଛି ।
ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବୁନାଲ ଓ କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତ୍ତୀ ନିର୍ଦ୍ଦେଶନାମାଗୁଡ଼ିକ ଗତବର୍ଷ କୋଭିଡ ପାଇଁ ପୂର୍ବରୁ ୨୦୨୦ ଜୁଲାଇ୧୫ ଓ ପରେ ଅଗଷ୍ଟ ୩୧, ଅକ୍ଟୋବର ୧୫, ତାପରେ ନଭେମ୍ବର ୨୫, ଜାନୁଆରୀ ୧୫ ଓ ଫେବୃଆରୀ ୧୭ ପର୍ଯ୍ୟନ୍ତ ବଳଵତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସ୍ବାଭାବିକ ସ୍ଥିତି ନଆସିବାରୁ ଏହାକୁ ଫେବ୍ରୁଆରୀ ୧୭ରେ ପ୍ରତ୍ୟାହାର କରିଥିଲେ ଅଦାଲତ।
କୌଣସି ପ୍ରକାର ରହିତାଦେଶ ଓ ମଧ୍ୟବର୍ତ୍ତୀ ନିର୍ଦ୍ଦେଶର ଅବଧି ଏହି ସମୟ ମଧ୍ୟରେ ଶେଷ ହେଉଥିଲେ ମଧ୍ୟ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହା ଜୁନ ୩୦ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହେଵ ବୋଲି ହାଇକୋର୍ଟ କହିଛନ୍ତି । ଏହା ସହ କୌଣସି ବ୍ୟାଙ୍କ ଏହି ନିର୍ଦ୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ କୌଣସି ସମ୍ପତ୍ତିର ନିଲାମ ମଧ୍ୟ କରିପାରିବେ ନାହିଁ । କୋରୋନା ପାଇଁ ଅଦାଲତ କାର୍ଯ୍ୟ ସଠିକ ଭାବେ ଚାଲି ପାରୁ ନଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୯କୁ ଧାର୍ଯ୍ୟ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ