କଟକ: ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଏହି ମାମଲାରେ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଆଜି ରାୟ ଶୁଣାଣି ଶେଷ କରି ଘଟଣାର ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
କମିଶନରେଟ ପୋଲିସ ଏହି ଘଟଣାରେ ଚାର୍ଜସିଟ ଦାଖଲ କରି ସାରିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ଆଇପିସିର ୩୫୪ ଧାରାରେ ଚାର୍ଜସିଟରେ ନଥିବା ହାଇକୋର୍ଟଙ୍କୁ ଯୁକ୍ତି ରଖିଥିଲେ ଆବେଦନକାରୀଙ୍କ ଓକିଲ । କମିଶନରେଟ ପୋଲିସ ନିକଟରେ ହୋଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ପ୍ରକୃତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ଖାରବେଳ ନଗର ଥାନାରେ ସେ ଏତଲା କରିଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଗତ ବର୍ଷ ଜୁଲାଇ ୨୩ରେ ଥାନାରେ ଏତଲା ଦେଇଥିଲେ ।
ଦୀର୍ଘଦିନ ବିତି ଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରି ନଥିବା ଅଭିଯୋଗ କରି ପ୍ରକୃତି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇ ନ ଥିବା ଅଭିଯୋଗ ଆଣିଥିଲେ। ମାମଲାରେ ଗୃହ ସଚିବ, ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଯେଉଁଭଳି ଭାବେ ପ୍ରକୃତିଙ୍କୁ ବିଚ ରାସ୍ତାରେ ଆକ୍ରମଣ କରାଗଲା ସେନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଖାରବେଳ ନଗର ଥାନା ପୋଲିସ ଉପଯୁକ୍ତ ଦଫାରେ ଚାର୍ଜସିଟ କରି ନ ଥିବା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ । ଏହାପରେ ମାମଲାର ପୁନଶ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଥାଉକି, ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ଅଭିନେତା ବାବୁସାନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ମାମଲାର ଶୁଣାଣି କରି ହାଇକୋର୍ଟ ମାମଲାର ଅନ୍ତ ଘଟାଇଥିଲେ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ଓ ବିଭିନ୍ନ ଅଭିଯୋଗ କରି ବାବୁସାନଙ୍କ ବିରୋଧରେ ପତ୍ନୀ ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ । ଏହାସହ ପ୍ରକୃତି ମିଶ୍ରଙ୍କ ନାଁରେ ମଧ୍ୟ ଏତଲା ଦେଇଥିଲେ । ଏନେଇ ବାବୁଶାନ ଥାନାରେ ହାଜର ହୋଇଥିଲେ । Crpc ୪୧ରେ ତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଏଥିପାଇଁ ଜାମିନର ଆବଶ୍ୟକତା ନଥିବାରୁ କୋର୍ଟ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଥିଲେ । ତଦନ୍ତ ପ୍ରକ୍ରିୟାରେ ମଧ୍ୟ ବାବୁ ସହାଯୋଗ କରୁଛନ୍ତି । ତେଣୁ ଆଗୁଆ ଜାମିନର ଆବଶ୍ୟକତା ନାହିଁ ବୋଲି କୋର୍ଟ ଦର୍ଶାଇଥିଲେ ।
ଇଟିଭି ଭାରତ, କଟକ