କଟକ: ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ । ପିଲାମାନଙ୍କ ପାଇଁ ରୋଷେଇ ଚାଲିଥିବାବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଭଳି ଅଘଟଣ ଘଟିଛି କଟକ ସହର ଲଳିତଗିରି ଅଙ୍ଗନବାଡ଼ି କେନ୍ଦ୍ରରେ । ତେବେ ଟାଙ୍କି ଫାଟିବା ସମୟରେ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ କେନ୍ଦ୍ର ବାହାରକୁ ପଳାଇବାରୁ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି ।
ସୂଚନା ଅନୁସାରେ କଟକ ଲଳିତଗିରି ଅଙ୍ଗନବାଡି ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ତେବେ ଆଜି ସେମାନଙ୍କ ପାଇଁ ରୋଷେଇ ଚାଲିଥିବା ସମୟରେ ହଠାତ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ ଦାୟିତ୍ବରେ ଥିବା ପାଚିକାଙ୍କ କହିବା ମୁତାବକ, ସେ ରୋଷେଇ ଘରୁ ବାହାରକୁ ପଳେଇ ଆସିଥିବା ବେଳେ ରୋଷେଇ ଘରୁ ହଠାତ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ରୋଷେଇ ଘରେ ନିଆଁ ଲାଗିଯିବା ଦେଖି ରୋଷେଇ ଘର ପାଖରେ ଥିବା ଅଙ୍ଗନବାଡି କେନ୍ଦ୍ରରୁ ସମସ୍ତ କୁନିକୁନି ପିଲାଙ୍କ ସମେତ ଅନ୍ୟ କର୍ମଚାରୀ ନିରାପଦ ଦୂରତାକୁ ପଳେଇଲେ । ଏହି ସମୟରେ ଗ୍ୟାସ ଟାଙ୍କି ଫାଟି ହୁ ହୁ ହୋଇ ରୋଷେଇ ଘର ଜଳିବାକୁ ଲାଗିଲା ।
ଇଟିଭି ଭାରତ, କଟକ