କଟକ: ମାହାଙ୍ଗା ବ୍ଲକ କୁହୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଆଦିବାସୀ ବସ୍ତିରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗ୍ରାମର ଜେମା ବିରୁଆଙ୍କ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । କୁଆଁପାଳରୁ ଦମକଳ ବାହିନୀ ଆସି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘରର ସମସ୍ତ ଆସବାପତ୍ର ଜଳିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ ।
ଖରାବେଳେ ପରିବାର ସଦସ୍ୟମାନେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ପରିବାର ସଦସ୍ୟଙ୍କ ଚିତ୍କାର ଶୁଣି ପଡୋଶୀ ଜେମାଙ୍କ ପୁଅ, ବୋହୂ ଓ ପିଲାମାନଙ୍କୁ ଜଳନ୍ତା ଘର ଭିତରୁ ଉଦ୍ଧାର କରିଥିଲେ । ଅଗ୍ନିକାଣ୍ଡ ପରେ ଖୋଲା ଆକାଶ ତଳେ ଥିବା ଏହି ଗରିବ ଆଦିବାସୀ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହେଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ