କଟକ: ବୈଷୟିକ ତାଲିମ ନେବେ ବିଦ୍ୟୁତ ବିଭାଗ କର୍ମଚାରୀ । ଉନ୍ନତ ଜ୍ଞାନକୌଶଳ ଆହୋରଣ କରିବା ଏହି ତାଲିମର ଉଦ୍ଦେଶ୍ୟ ରଖାଯାଇଛି । ଏଥିପାଇଁ ରାଜ୍ୟର ଦ୍ବିତୀୟ ସ୍କିଲ ଡେଭେଲପମେଣ୍ଟ ସେଣ୍ଟରର ଶୁଭାରମ୍ଭ କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେଵ । କଟକ ବାଦାମବାଡ଼ିସ୍ଥିତ TPCODL କାର୍ଯ୍ୟାଳୟ ପରିସରରେ ଏହାର ଶୁଭାରମ୍ଭ କରାଯାଇଛି । ନୂଆନୂଆ ଯନ୍ତ୍ରପାତିକୁ ବ୍ୟବହାର କରି ଲାଇନମ୍ୟାନ, ମିଟର ରିଡର ଓ ମେକାନିକମାନେ ଦକ୍ଷ ହୋଇପାରିବେ । ଏହି ତାଲିମ ନେବା ଦ୍ବାରା ସାଧାରଣ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରିବ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ।
ଏହି ତାଲିମ କେନ୍ଦ୍ରରେ 2 ହଜାର ଲୋକ ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ଏହାଛଡା ବିଭିନ୍ନ ITIର ଛାତ୍ରଛାତ୍ରୀ ମଧ୍ୟ ଏଠାରେ ତାଲିମ ନେଇ ପାରିବେ । ଖୁବଶୀଘ୍ର ଏନେଇ ବିଭିନ୍ନ ITI ସହ MoU କରାଯିବ । ଆଗାମୀ 15 ଦିନ ଭିତରେ ଆହୁରି 3ଟି ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର ଖୋଲାଯିବ ବୋଲି ଟାଟା ପାୱାରର ମୁଖ୍ୟ ସାମ୍ ବେଗମ କହିଛନ୍ତି ।
ଇଟିଭି ଭାରତ, କଟକ