କଟକ: ଲକ୍ଷ୍ୟ ହାସଲ କରିବା ଦିଗରେ ଯେତେ ବି ବାଧା ଆସୁ, ମନରେ ଅଦମ୍ୟ ଚେଷ୍ଟା ଓ ଦୃଢ଼ ପ୍ରତିଜ୍ଞା ଥିଲେ, ସଫଳତା ସୁନିଶ୍ଚିତ । ଏହା ହିଁ ସଫଳ ହେବାର ଚାବିକାଠି ଓ ମୂଳମନ୍ତ୍ର । ଯାହା ପ୍ରମାଣିତ ହୋଇଛି କଟକ ମହିଦାସ ବଜାର ଅଞ୍ଚଳରେ ରହୁଥିବା ସ୍ବର୍ଣ୍ଣପ୍ରଭା ସେଠିଙ୍କ କ୍ଷେତ୍ରରେ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ 90% ପ୍ରତିଶତ ମାର୍କ ରଖି ନିଜ ପିତାମାତାଙ୍କ ପାଇଁ ଗର୍ବ ଆଣିଛନ୍ତି ସେ ।
ଆର୍ଥିକ ଅନଟନରେ ପଡି ଦିନେ ସୁନା ବନ୍ଧକ ରଖି ପାଠପଢ଼ାଇଥିବା ବାପାମା' ଙ୍କୁ ଆଜି ତାଙ୍କ କଷ୍ଟର ଫଳ ଦେଇଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ 540 ନମ୍ବର ରଖି (90 ପ୍ରତିଶତ) ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଏକ ପ୍ରେରଣା । କେବଳ ଏତିକି ନୁହେଁ, ଏହି ସ୍କୁଲ ସମୟରେ ସେ ଅନେକ ପୁରସ୍କାରର ଅଧକାରୀ ମଧ୍ୟ ହୋଇଛନ୍ତି ।
ଗୋଟିଏ ପଟେ ଆର୍ଥିକ ଅନଟନରେ ଗତି କରୁଥିବା ପରିବାର । ଅନ୍ୟପଟେ ପରିବାରରେ 2 ଝିଅ ଓ ବାପା ଓ ମାଆକୁ ନେଇ 4 ପ୍ରାଣୀ କୁଟୁମ୍ବ । ବାପା ଶିଶୁଭବନ ନିକଟସ୍ଥ ଆହାର କେନ୍ଦ୍ରରେ ଜଣେ ସିକ୍ୟୁରିଟିଗାର୍ଡ ଭାବେ କାମ କରନ୍ତି । ଯେତିକି ବେତନ ମିଳେ ସେଥିରେ ପରିବାର ଚଳିବା କଷ୍ଟ । କିନ୍ତୁ ଏହାରି ଭିତରେ ଝିଅକୁ ପାଠ ପଢ଼ାଇବା ପାଇଁ ଅନେକ କଷ୍ଟ ସହିବାକୁ ପଡିଛି ।
ତେବେ ଆଗକୁ ପାଠପଢି ଜଣେ ବଡ ମଣିଷ ହେବାକୁ ଲକ୍ଷ୍ୟ ରଖିଥିବା ସ୍ଵର୍ଣ୍ଣପ୍ରଭାଙ୍କ ପାଇଁ ଯଦି ସରକାରୀ ସହାୟତା କିଛି ମିଳନ୍ତା, ତେବେ ଏହି ମେଧାବୀ ଛାତ୍ରୀ ଆଗକୁ ନିଜ ବାପା ମା' କିମ୍ବା ସ୍କୁଲ ପାଇଁ ଗର୍ବ ନଆଣି ସାରା ରାଜ୍ୟ ପାଇଁ ଗର୍ବ ଆଣିବେ ବୋଲି କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ