କଟକ: ବିଜୁ ସ୍ବାସ୍ଥ୍ୟ କାର୍ଡରେ ମହାଘୋଟଲା ଅଭିଯୋଗ । କାର୍ଡଧାରୀଙ୍କୁ ୨ ହଜାର ଟଙ୍କା ଦେଇ ଲକ୍ଷ ଲକ୍ଷ ଲୁଟୁଥିଲା ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ । ସୁସ୍ଥ ରୋଗୀଙ୍କୁ ହସ୍ପିଟାଲରେ ଆଡ଼ମିଶନ କରାଇ ଟଙ୍କା ଲୁଟୁଥିବା ନେଇ ହୋଇଛି ଅଭିଯୋଗ । କେବଳ କାଗଜପତ୍ରରେ ରୋଗୀ ଚିକିତ୍ସା କରି ସରକାରଙ୍କଠାରୁ ଲକ୍ଷ ଲକ୍ଷ ବିଲ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଖାନନଗର ସ୍ଥିତ ସାଉଥ ପଏଣ୍ଟ ହସ୍ପିଟାଲ ବିରୋଧରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ବୟାଳିଶମୌଜା ଅଞ୍ଚଳର କିଛି ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏଭଳି କାଣ୍ଡ ଭିଆଇଛନ୍ତି ମୁନଫାଖୋର ସ୍ବାସ୍ଥ୍ୟ ବ୍ୟବସାୟୀ । ଏହି ଘୋଟଲାରେ ସାମିଲ ଥିବା ୫ ଜଣ ହସ୍ପିଟାଲ କର୍ମଚାରୀଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।
ସେ କହିଛନ୍ତି, "୨ଟି ଠକେଇ ଘଟଣା ସାମନାକୁ ଆସୁଛି । ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ ଅପବ୍ୟବହାର କରାଯାଉଥିଲା । ଯେଉଁମାନେ ନିକଟରେ ଏହି କାର୍ଡ ରହିଥିଲା, ସେମାନଙ୍କୁ ଅସୁସ୍ଥ ବ୍ୟକ୍ତି ଦର୍ଶାଇ ଏହି କାର୍ଡରୁ ଟଙ୍କା ଉଠାଯାଉଥିଲା । ଏଭଳି କାମ କରୁଥିବା ଏକ ଗ୍ୟାଙ୍ଗକୁ ଧରାଯାଇଛି । ସେମାନଙ୍କୁ ଏବେ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।" BSKY କାର୍ଡରୁ ଲୁଟିବା ଚିନ୍ତା ନେଇ କିଛି ଦିନ ହେଲା କଟକରେ ସକ୍ରିୟ ହେଇ ଉଠିଛି ଏହି ରାକେଟ । ରାକେଟର ୫ ସଦସ୍ୟଙ୍କୁ କଟକ ବାୟାଳିଶମୌଜା ଥାନା ପୋଲିସ ଗିରଫ କରିବା ପରେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସେମାନଙ୍କ ନିକଟରୁ କାର୍ଡ ଜବତ କରାଯାଇଥିବା ବେଳେ ୧୩ ଜଣ କାର୍ଡଧାରୀ ଏଥିରେ ଫସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ଏହା ବି ପଢନ୍ତୁ-ବାଲିରେ ବିଶାଳକାୟ ହକି ଷ୍ଟିକ, ସ୍ଥାନପାଇଛି ସମସ୍ତ ଦେଶର ଜାତୀୟ ପତାକା
ଏଥିରେ ସଂପୃକ୍ତ ଅନ୍ୟ ୨/୩ଜଣ ସଦସ୍ୟଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ସୂଚନା ଦେଇଛି । କଟକ ସଦର ଅଞ୍ଚଳ ବାୟାଳିଶମୌଜା ଏରଞ୍ଚ ଓ କୁଲ ସରିଚୁଆର ଏକାଧିକ ଲୋକ ଏହି ରାକେଟ୍ର ଶିକାର ହୋଇଛନ୍ତି । ଦଲାଲ କାର୍ଡଧାରୀଙ୍କୁ ସେମାନଙ୍କ କାର୍ଡ ପୁନଃ ନବୀକରଣ ଓ ୨ରୁ ୫ହଜାର ଟଙ୍କା ଦେବାକୁ କହି କାର୍ଡକୁ ସ୍ବାବ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି । ଖାନ ନଗରରେ ଥିବା ଏକ ଘରୋଇ ହସ୍ପିଟାଲ ମାଲିକ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି । ସେମାନଙ୍କ ନିକଟରୁ କାର୍ଡ ମେସିନ ଜବତ କରାଯାଇଛି ।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରମାକାନ୍ତ ସାସେନି, ଲକ୍ଷ୍ମୀଧର ସ୍ଵାଇଁ, ତ୍ରିନାଥ ବେହେରା, ଶୁଭ୍ରାଂଶୁ ଶେଖର ରାଉତ ଓ ହସ୍ପିଟାଲ ମାଲିକ ବିନୟ ସନ୍ତୁକା । ଏମାନେ ଏରଞ୍ଚ ୫ଜଣ ଓ କୁଳ ସରୁଚୁଆରୁ ୪ଜଣ କାର୍ଡଧାରୀଙ୍କଠାରୁ କାର୍ଡ ନେଇ ବେଆଇନ ଭାବରେ ଲକ୍ଷାଧିକ ଟଙ୍କା ଉଠାଇଛନ୍ତି । କାର୍ଡଧାରୀଙ୍କ କହିବା ମୁତାବକ ଦଲାଲମାନେ ରିନ୍ୟୁଆଲ୍ ନାଁରେ ସେମାନଙ୍କ କାର୍ଡ ସ୍ଵାବ କରି ଫିଙ୍ଗର ପ୍ରିଣ୍ଟ ନେଇଯାଇଥିଲେ । ଏପରିକି ଅଫିସରୁ ଫୋନ ଆସିଲେ ପରିବାର ଲୋକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା କଥା କହିବ ବୋଲି ମଧ୍ୟ କହିଥିଲେ। ତେବେ ଏହି ରାକେଟ ସମ୍ପର୍କରେ ଜାଣିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା ।
ଇଟିଭି ଭାରତ, କଟକ