କଟକ: ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଏହି ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତୁଳସୀପୁରଠାରେ ଥିବା ଗୋରା କବରର ସମାଧି ସ୍ଥଳ ଏବଂ ସହରର ବିଭିନ୍ନ ସ୍ଥାନରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଅନେକ ଘାତ ପ୍ରତିଘାତ ଦେଇ ଓଡ଼ିଶାକୁ ଆଜି ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାରେ ମୁଖ୍ୟ ରହିଥିଲେ ଉତ୍କଳ ଗୌରବ । ତେଣୁ ଏହି ପବିତ୍ର ଦିନ ଅବସରରେ ତୁଳସୀପୁରଠାରେ ଥିବା ଗୋରା କବରର ସମାଧିସ୍ଥଳ ଏବଂ ସହରର ବିଭିନ୍ନ ସ୍ଥାନରେ ଥିବା ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହା ସହ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଭୂମିକାକୁ ମନେ ପକାଇଛନ୍ତି ଜିଲ୍ଲାବାସୀ । ଦୀର୍ଘ ୮୮ଵର୍ଷ ଧରି ଗୋରାକବରରେ ଥିବା ମଧୁବାବୁଙ୍କ ସମାଧି ସ୍ଥଳକୁ ଅଣଦେଖା କରାଯାଉଥିଲା । ହେଲେ ଅନେକ ଦିନ ଧରି ଦାବି ପରେ ଏହି ସ୍ଥାନର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇଛି ଜିଲ୍ଲା ପ୍ରଶାସନ ।
ଏହା ବି ପଢନ୍ତୁ- Utkal Divas ୨୦୨୩: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି ଆଜି ବି ଉଜ୍ଜୀବିତ
କଟକ ତୁଳସୀପୁରସ୍ଥିତ ଗୋରାକଵର ହେଉଛି ମଧୁ ଵାଵୁଙ୍କ ଶେଷ ଆଶ୍ରୟସ୍ଥଳୀ । ମାତ୍ର ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ଵିନ୍ଧାଣିଙ୍କ ପ୍ରତି ଶାସନ, ପ୍ରଶାସନର ମନୋଭାବ ଏଵେଵି ଗୋରାକଵରରେ ପ୍ରତିଫଳିତ ହେଉଛି । କିନ୍ତୁ ଵିଳମ୍ବରେ ହେଉ ପଛେ ନବକଳେବର ହେବ ମଧୁବାବୁଙ୍କ ସମାଧିସ୍ଥଳ ଗୋରା କବର । ଦିଲ୍ଲୀର ରାଜଘାଟ ପରି ନଜର ଆସିବ ମଧୁବାବୁଙ୍କ ସମାଧିସ୍ଥଳ । ପୂର୍ବରୁ ମଧୁସୂଦନଙ୍କ ମହାପ୍ରୟାଣ ଦିଵସ ଅଵସରରେ ଗୋରା କଵରକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଏକ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ମେୟର ସୁବାସ ସିଂ ।
ଗୋରାକବର ଉନ୍ନତିକରଣ ହେବା ସହ ସୌନ୍ଦର୍ଯ୍ୟକରଣ, ଆଲୋକିକରଣ, ନୂତନ ଫାଟକ ନିର୍ମାଣ ଓ ନବୀକରଣ କରାଯିବ । ଯାହାଦ୍ବାରା ମଧୁବାବୁଙ୍କ ସମାଧିସ୍ଥଳ ପର୍ଯ୍ୟଟନରେ ସ୍ଥାନ ପାଇପାରିବ ଓ କଟକର ଗୌରବ ଦ୍ବିଗୁଣିତ ହୋଇ ପାରିବ । ତେବେ ସିଏମସି ପକ୍ଷରୁ ଏହି ମେଗା ଯୋଜନା ଗୋଟିଏ ବର୍ଷ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ମେୟର । ତେବେ ବର୍ତ୍ତମାନ ସମୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ଖୁବ୍କମ ଦିନ ମଧ୍ୟରେ ମଧୁବାବୁଙ୍କ ସମାଧି ସ୍ଥଳ ରାଜଘାଟ ପରି ନଜର ଆସିବ । ଏଥି ସହ ସମ୍ପୂର୍ଣ୍ଣ ଗୋରାକଵରର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିଵ । ବିଭିନ୍ନ ପ୍ରକାର ଗଛ, ରାସ୍ତା ପ୍ରଶସ୍ତିକରଣ, କାନ୍ଥରେ ମଧୁବାବୁଙ୍କ ବିଭିନ୍ନ ପଟ୍ଟଚିତ୍ର ରହିବ । ତେଣୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମଧୁବାବୁଙ୍କ ସ୍ମୃତି ସର୍ଵଦା ଚିର ସବୁଜ ହୋଇ ରହିବ ।
ଇଟିଭି ଭାରତ, କଟକ