କଟକ: ଘଷିପୁରାରୁ କଟକ ଟ୍ୟାକ୍ସି ଡ୍ରାଇଭର ମୃତଦେହ ଉଦ୍ଧାର ଘଟଣା । ଟ୍ୟାକ୍ସି ଡ୍ରାଇଭର ଭଗବାନ ବୈରୀଗଞ୍ଜନଙ୍କୁ ହତ୍ୟା କରାଯାଇଛି। ଘଟଣାର 11 ଦିନ ପରେ ଦୁଇ ଅଭଯୁକ୍ତଙ୍କୁ ଗିରଫ କରି ଘଷିପୁରା ପୋଲିସକୁ ହସ୍ତାନ୍ତର କରିଛି କମିଶନରେଟ ପୋଲିସ । ଅଭିଯୁକ୍ତକ୍ତ ପରିଚୟ ଅସ୍ପଷ୍ଟ ରହିଛି । ତଣ୍ଟିଚିପି ଭଗବାନ ବୈରୀଗଞ୍ଜନଙ୍କୁ ହତ୍ୟା କରାଯାଇଥିଲା ।
ସୂଚନା ଅନୁଯାୟୀ, ଗତ 24 ତାରିଖ ରାତିରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡରୁ ଯାଜପୁର ରୋଡ଼ ଯିବା ପାଇଁ ସୁଇଫ୍ଟ ଡିଜାୟାର ଗାଡିକୁ ଭଡ଼ାରେ ନେଇଥିଲେ । ପରେ ଡ୍ରାଇଭର ଓ କାରର ପତ୍ତା ମିଳିନଥିଲା । ଥାନାରେ ଅଭିଯୋଗ ପରେ ପୋଲିସ 28 ତାରିଖରେ କାର ଚାଳକର ମୃତଦେହ ଘଷିପୁରା ଜଙ୍ଗଲରୁ ଉଦ୍ଧାର କରିଥିଲା । ପରେ 29 ତାରିଖ ଦିନ କାରଟି ଚାବି ଲାଗିଥିବା ଅବସ୍ଥାରେ ନିଆଳି ଅନ୍ତର୍ଗତ ଗୋବିନ୍ଦପୁର ନଦୀବନ୍ଧରୁ ଜବତ କରିଥିଲା ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ପରେ ଡ୍ରାଇଭରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-କଟକ ଡ୍ରାଇଭରଙ୍କୁ କେନ୍ଦୁଝରରେ ମର୍ଡର ଘଟଣା: ପୋଲିସ ହାତରେ ଲାଗିଲା ସୁରାକ୍
ଗତ 2 ତାରିଖ ଦିନ କେନ୍ଦୁଝର ପୋଲିସ କଟକରେ ପହଞ୍ଚିଛି ଯାଞ୍ଚ ଆରମ୍ଭ କରିଥିଲା । କାର ମାଲିକଙ୍କ ବୟାନ ରେକର୍ଡ କରିବା ସହ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡ ଓ ଗୋବିନ୍ଦପୁର ଯାଇ ଅନୁସନ୍ଧାନ ଆରମ୍ଭ କରିଥିଲା । ଘଷିପୁରା ଭାରପ୍ରାପ୍ତ ଥାନା ଅଧିକାରୀ ବିକ୍ରମ ଭୂୟାଁଙ୍କ ନେତୃତ୍ବରେ ଆସିଥିବା ଟିମ୍ ମାଲଗୋଦାମ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କଠାରୁ ଟେକ୍ନିକାଲ ପ୍ରମାଣ ସଂଗ୍ରହ କରିଥିଲେ । ପରେ କାର ମାଲିକ ରାଜ କିଶୋର ବିଶ୍ବାଳଙ୍କ ବୟାନ ରେକର୍ଡ କରିବା ସହ ତାଙ୍କୁ ପଚରାଉଚରା କରିଥିଲେ ।
ଏହା ମଧ୍ୟ ପଢନ୍ତୁ-କଟକ ଡ୍ରାଇଭର ହତ୍ୟା ଘଟଣା, କାର ମାଲିକ ବୟାନ ରେକର୍ଡ କଲା ଘଷିପୁରା ପୋଲିସ
ଅନ୍ୟପଟେ ଗାଡିକୁ ଭଡ଼ାରେ ନେଇଥିବା ଯୁବକ, ଯୁବତୀଙ୍କର ସିସିଟିଭି ଫୁଟେଜ ପୋଲିସ ଜବତ କରିଥିଲା । ଏହାପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଥିଲା । କଟକ ସହରରେ ବିଭିନ୍ନ ଜାଗାରେ ଘଷିପୁରା ପୋଲିସ ଅନୁସନ୍ଧାନ କରିବା ସହ ଗୋବିନ୍ଦପୁର ଯାଇ ମଧ୍ୟ ଛାନଭିନ କରିଥିଲା । ତେବେ କେଉଁ କାରଣରୁ ଟ୍ୟାକ୍ସି ଡ୍ରାଇଭର ଭଗବାନ ବୈରୀଗଞ୍ଜନଙ୍କୁ ହତ୍ୟା କରାଗଲା ତାହା ଜଣାପଡିନାହିଁ । ଅଧିକ ପଚରାଉଚରା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ।
ଇଟିଭି ଭାରତ, କଟକ