କଟକ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜ୍ୟରେ କରୋନା ସଂକ୍ରମଣ ଅପେକ୍ଷାକୃତ କମ୍ ଥିବାବେଳେ ବର୍ତ୍ତମାନ ଚିନ୍ତା ବଢାଇଛି କୋରୋନା ନ୍ୟୁ ଷ୍ଟ୍ରେନ୍ । ଏହାରି ମଧ୍ୟରେ କଟକରେ ପୁଣି ଜଣଙ୍କର କୋରୋନା କବଳରେ ପ୍ରାଣହାନୀ ଆତଙ୍କ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ କଟକରେ ପୁଣି ଲେଉଟିଛି କଣ୍ଟେନମେଣ୍ଟ ଜୋନ୍ । ଆସନ୍ତା ଜାନୁଆରୀ ୪ ତାରିଖ ଯାଏଁ ସମ୍ପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ୍ ପାଇଁ ଲାଗୁ ନିୟମ ମୁତାବକ ଜୋନ୍ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । ସେହିପରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ କଣ୍ଟାପଡ଼ା ବିଡିଓଙ୍କୁ ଦିଆଯାଇଛି । ନୂଆସାହି ଖଣ୍ଡାସାଇଲୋ ଗାଁରୁ ବଡ଼ପାଟସୁନ୍ଦରପୁର ଯାଏଁ ଯାତାୟତ ବନ୍ଦ ରହିଛି ।
ତେବେ ଜିଲ୍ଲା ନିଆଳି ଅନ୍ତର୍ଗତ କଣ୍ଟାପଡ଼ାରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବାରୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ