କଟକ: ଚଳିତ ବର୍ଷ ବାଲିଯାତ୍ରା ଶେଷ ହେବାପରେ ବାଲିଯାତ୍ରାକୁ ନେଇ ଦେଖାଦେଇଛି ବିବାଦ । ଚଳିତବର୍ଷ ବାଲିଯାତ୍ରା ଆୟୋଜନରେ କଟକର ସଂସ୍କୃତି ଓ ପରମ୍ପରା ଭଙ୍ଗ କରାଯିବା ସହ ସବୁ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବାଲିଯାତ୍ରା ଆୟୋଜନରେ ଏକ ବଡ଼ ଧରଣର ଦୁର୍ନିତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ବାଲିଯାତ୍ରା ପଡ଼ିଆ ସମତୁଲ କରିବା ଓ ବିଦ୍ୟୁତିକରଣ କାର୍ଯ୍ୟ ପାଇଁ 3 କୋଟି 72 ଲକ୍ଷ ଟଙ୍କାକୁ ବିନା ଟେଣ୍ଡରରେ ଖର୍ଚ୍ଚ କରାଯାଇଛି । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ପୁରା କାର୍ଯ୍ୟକୁ ସମ୍ପାଦନା କରାଯାଇଛି ବୋଲି ଅଭିଯୋଗ ହୋଇଛି ।
ଏହା ପଛରେ କଟକ ମହାନଗର ନିଗମ ଓ ଶାସକ ଦଳର କିଛି ନେତାଙ୍କ ହାତ ରହିଥିବା କହିଛି କଂଗ୍ରେସ । ତେଣୁ ଦଳ ପକ୍ଷରୁ ଏହି ମାମଲାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ କର୍ପୋରେଟରମାନଙ୍କର ଏକ ପ୍ରତିନିଧି ଦଳ ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ କଟକର ଐତିହାସିକ ବାଲିଯାତ୍ରା । ନିକଟରେ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସ୍ବର ଉଠାଯାଇଥିଲା । ଏହା ଉପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମଧ୍ୟ ଗଣମାଧ୍ୟମ ଆଗରେ ସ୍ପୋଷ୍ଟକ୍ତି ରଖିଥିଲେ କି ଚଳିତ ବର୍ଷ ବାଲିଯାତ୍ରାରେ କୌଣସି ଅନିୟମିତତା ହୋଇନାହିଁ ।
ଇଟିଭି ଭାରତ, କଟକ