କଟକ: ଅରିଲୋ ଠାରେ ଉଦଘାଟିତ ହୋଇଯାଇଛି ରାଜ୍ୟର ପ୍ରଥମ ତଥା ପୂର୍ବଭାରତର ସର୍ବବୃହତ ଏବଂ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଡାଏରୀ ପ୍ଲାଣ୍ଟ । ଦୈନିକ 5 ଲକ୍ଷ ଲିଟର କ୍ଷୀରକୁ ପ୍ରକ୍ରିୟା କରଣ କରିବାର କ୍ଷମତା ରଖୁଥିବା ଏହି ପ୍ଲାଣ୍ଟରୁ ଦୁଗ୍ଧ ସହିତ ଦୁଗ୍ଦ ଜାତ ସାମଗ୍ରୀ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ଲାଣ୍ଟରେ ଓମଫେଡ ଦ୍ବାରା ପ୍ରସ୍ତୁତ ସମସ୍ତ 26 ପ୍ରକାରର ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତ ହେବା ସହ ଏଠାରୁ ଉତ୍ପାଦିତ ହେଉଥିବା ସମାଗ୍ରୀକୁ ଦେଶ ତଥା ଦେଶ ବାହାରେ ବିକ୍ରି କରିବାର ଲକ୍ଷ ରଖିଛି ଓମଫେଡ୍ । ତେବେ ଏହି ନୂଆ ପ୍ଲାଣ୍ଟ ଉଦଘାଟନ କରିବାକୁ ଯାଇ ଏହା ଦ୍ବାରା ଚାଷୀ ମାନଙ୍କର ରୋଜଗାର ବଢିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାଟି ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରାଯିବ ଏବଂ ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ । ଏହା ସହିତ ଉଚ୍ଚମାନର ଦହି, ଦୁଗ୍ଧ, ଲହୁଣି, ଲସି, ଘିଅ, ପନୀର ଓ Flavoured Milk ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ । ଏହି ଅବସରରେ ଏହି ନୂଆ ପ୍ଲାଣ୍ଟ ଉଦଘାଟନ ଦ୍ବାରା ଚାଷୀ ମାନଙ୍କର ରୋଜଗାର ବଢିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ ବୋଲି କହିବା ସହ ରାଜ୍ୟରେ ଶ୍ବେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଉତ୍ସବ ଅବସରରେ କୃଷୀମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଦୁଗ୍ଧଚାଷୀମାନେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବା ପରେ କାର୍ଯ୍ୟକ୍ଷମ ହେଲା ନରାଜ ଠାରେ ପ୍ରତିଷ୍ଠା କରାଯାଇଥିବା ରାଜ୍ୟର ପ୍ରଥମ ତଥା ପୂର୍ବଭାରତର ସର୍ବବୃହତ ଡାଏରୀ ପ୍ଲାଣ୍ଟ । ଜର୍ମାନ ଟେକନୋଜି ଆଧାରିତ ଏହି ପ୍ଲାଣ୍ଟରେ ଆଜି ଠାରୁ ଆରମ୍ଭ ହୋଇଛି ଉତ୍ପାଦନ । କ୍ଷୀର ପ୍ରକ୍ରିୟା କରଣ ସହିତ ଓମଫେଡର ଦ୍ବାରା ପ୍ରସ୍ତୁତ ସମସ୍ତ 26 ପ୍ରକାରର ଦୁଗ୍ଧଜାତ ସାମଗ୍ରୀ ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବା ସହିତ କିଛି ନୂଆ ଉତ୍ପାଦ ମଧ୍ୟ ଏହି ପ୍ଲାଣ୍ଟ ଜରିଆରେ ବଜାରକୁ ଛାଡ଼ିବାକୁ ଲକ୍ଷ ରଖିଛି ଓମଫେଡ । ସେଥିମଧ୍ୟରେ ରହିଛି ଚା ସ୍ପେସାଲ୍ ଓ ୟୁଏସଟି ମିଲ୍କ ନାମକ ଏକ କ୍ଷୀର ଉତ୍ପାଦନ କରାଯିବ । ତେବେ ଏହି କ୍ଷୀରର ସ୍ବତନ୍ତ୍ରତା ଏହା କି ଯେ ଉତ୍ପାଦନ ହେବା ଦିନ ଠାରୁ 6 ମାସ ଅବଧି ପର୍ଯ୍ୟନ୍ତ ଏହି କ୍ଷୀରକୁ ବ୍ୟବହାର କରାଯାଇ ପାରିବ । ବଡ଼ କଥା ଏହାକି ଯେ ଏହି ପ୍ଲାଣ୍ଟରୁ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡ଼ିକୁ ୟୁରୋପିୟ ଦେଶ ଗୁଡ଼ିକୁ ରପ୍ତାନି କରିବା ପାଇଁ ଲକ୍ଷ ରଖିଛି ଓମଫେଡ । ସେପଟେ ଏହି ପ୍ଲାଣ୍ଟଟି ଉଦଘାଟିତ ହେବା ପରେ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଦୁଗ୍ଧ ଚାଷୀ ।
ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଓମ୍ଫେଡ୍ ଦ୍ବାରା ପରିଚାଳିତ ୪୦୫ ଟି ଶୀତଳୀକରଣ କେନ୍ଦ୍ରରେ ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି । ଏହି କେନ୍ଦ୍ର ଗୁଡ଼ିକରେ ଦୈନିକ 5 ଲକ୍ଷ ଲିଟର କ୍ଷୀରକୁ ପ୍ରୋସେସ କରାଯାଉଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ