ବୌଦ୍ଧ: ଧାରା ଶ୍ରାବଣରେ ବର୍ଷାର ଦେଖା ଦର୍ଶନ ମିଳୁନାହଁ । ଫଳରେ ବୌଦ୍ଧ ଜିଲ୍ଲାରେ ମରୁଡି଼ ଭଳି ସଙ୍କଟ ଦେଖା ଦେଇଛି । ସ୍ବଳ୍ପ ବୃଷ୍ଟିପାତ ସାଙ୍ଗକୁ ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଚାଷ ଜମିକୁ ପାଣି ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଫଳରେ ଚାଷ ଜମି ଫାଟି ଆଁ କରିଛି । ବର୍ଷା ଆଶାରେ ତଳି ବୁଣିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।
ବର୍ଷାରେ ଚାଷ ଜମି ବର୍ଷାପାଣିରେ ଜମିବା ସମୟରେ ମୌସୁମୀର ଲୁଚାକାଳୀ ଖେଳ ଜାରି ରହିଛି । ବର୍ଷା ଅଭାବରୁ ବୌଦ୍ଧ ଜିଲ୍ଲାରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପରିସ୍ଥିତି ଉପୁଜିଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୦ ପ୍ରତିଶତରୁ ମଧ୍ୟ କମ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।
ସେପଟେ ଉଭୟ ତେଲନଦୀ କୂଳରେ ଥିବା କଣ୍ଟାମାଳ ବ୍ଲକ ଓ ମହାନଦୀ କୂଳରେ ଥିବା ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ପରିସ୍ଥିତି ସଙ୍ଗୀନ ହେବାକୁ ଲାଗିଛି । ଅନେକ ସ୍ଥାନରେ ଜମି ଫାଟି ଆଁ କରିଥିବା ବେଳେ କେତେକ ସ୍ଥାନରେ ଧାନ ତଳି ଜଳିବାକୁ ବସିଛି । ଜଳସେଚନ ବିଭାଗର ଅପାରଗତା ଯୋଗୁଁ କୌଣସି କେନାଲରେ ପାଣି ମୁନ୍ଦାଏ ନାହିଁ । ଉଭୟ ବାଘ ଓ ସାଲୁଙ୍କୀ ଜଳସେଚନ ପ୍ରକଳ୍ପରେ ଜଳସେଚନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସମନ୍ୱୟ ଅଭାବରୁ ଚାଷୀଙ୍କ ଜମିକୁ ପାଣି ଆଦୌ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଳ ସେଚନ ପ୍ରକଳ୍ପ ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଧମକ ଦେଇଛି ବିଜେପି କୃଷକ ମୋର୍ଚ୍ଚା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ