କଟକ: ଆସନ୍ତା ମାସ 12 ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଯେପରି କୌଣସି ପ୍ରକାର ଅସୁବିଧା ଦୃଷ୍ଟି ଗୋଚର ନ ହୁଏ, ସେ ଦିଗରେ ବେଶ ଯତ୍ନବାନ ରହିଛି ପ୍ରଶାସନ । ତେବେ ବାଲିଯାତ୍ରା ପାଇଁ ହାତରେ ଆଉ କିଛି ଦିନ ବାକି ଥିବାବେଳେ ପଡିଆକୁ ଘନ ଘନ ଗସ୍ତ କରୁଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ପ୍ରତି ଦିଗକୁ ନିରୀକ୍ଷଣ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ସେ । ସ୍ବଳ୍ପ ସମୟ ମଧ୍ୟରେ ମେଗା ଇଭେଣ୍ଟକୁ ସାମନା କରିବା ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ସେ ।
କଟକ ବାଲିଯାତ୍ରାରେ ଦୃଶ୍ୟ ହେବ ପଥୋତ୍ସବ । ଯେଉଁଥିରେ ସମସ୍ତ ବୟସ୍କ ଲୋକେ ଭାଗ ନେବେ । ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ସ୍କେଟିଂ, ସାଇକେଲିଂ, ବିଭିନ୍ନ କ୍ରୀଡାର ଆୟୋଜନ ହେବ। ପୂର୍ବରୁ ଯେଉଁ କୁତ୍ରିମ ଢ଼ଙ୍ଗରେ ଜଳକ୍ରୀଡା ଆୟୋଜିତ ହେଉଥିଲା ଚଳିତବର୍ଷ ବାଲିଯାତ୍ରା ପଡିଆରେ ଥିବା ଜଳାଶୟରେ ମଧ୍ୟ ଜଳକ୍ରୀଡା ଆୟୋଜନ ହେବ। ଯାହାର ଲାଭ ଉଠାଇବେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ । ଏହାସହିତ ବାଲିଯାତ୍ରା ପଡିଆକୁ ଆହୁରି ପ୍ରଶସ୍ତ କରାଯାଇଛି । ଯାହାଦ୍ବାରା ଭିଡ଼କୁ ମଧ୍ୟ ରୋକାଯାଇ ପାରିବ ବୋଲି କହିଛନ୍ତି ଜିଲ୍ଲାପାଳ।
ଅନ୍ୟପଟେ ଏତେ ବଡ଼ ମେଗା ଆୟୋଜନକୁ ରଖି ସିଏମସି ନେଇଛି ଗୁରୁଦାୟିତ୍ବ । ପରିମଳ ଦିଗକୁ କିପରି ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ବହନ କରିହେବ, ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ମହାନଗର ନିଗମ । ତେବେ ପରିମଳ ବ୍ୟବସ୍ଥା ସବୁଠୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ସିଏମସି କମିଶନର । ଏହାସହିତ ବ୍ୟାପକ କୁତ୍ରିମ ଶୌଚାଳୟ ନିର୍ମାଣ କରିବା ଓ ପାନୀୟ ଜଳ ଯୋଗାଣ ଆମର ଲକ୍ଷ ବୋଲି କହିଛନ୍ତି ସେ । ବାଲିଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ସୁଅ ଛୁଟିବ । ଆଉ ବାଲିଯାତ୍ରା ପଡିଆରେ ଜନ ସମୁଦ୍ର ହେବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ