ନିଆଳି: ମାଛ ଧରାଳୀଙ୍କୁ କଟୁରୀରେ ଦୁର୍ବୃତ୍ତଙ୍କ ଆକ୍ରମଣ। ମାଗଣାରେ ମାଛ ନଦେବାରୁ ଜଣେ ମାଛ ଧରାଳୀଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ରହିଛି। କଟକ ଜିଲ୍ଲା ନିଆଳିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ନିଆଳି ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଗୁରୁତର ମାଛ ଧରାଳୀ ହେଉଛନ୍ତି କଟକ ଜିଲ୍ଲା ନିଆଳି ଥାନା ସିଠାଳୋ ପଞ୍ଚାୟତ ଅମରପଡା ଗ୍ରାମର ସୁଦର୍ଶନ ମଲ୍ଲିକ। ସୁଦର୍ଶନ ତାଙ୍କ ଘର ନିକଟରେ ଥିବା ଦେବୀ ନଦୀ କାଳଖ ବ୍ରିଜ ନିକଟରୁ ମାଛ ଧରୁଥିବା ସମୟରେ ପହଙ୍ଗା ଗାଁର ରଘୁନାଥ ଓଝା ତାଙ୍କୁ ମାଗଣାରେ ମାଛ ଦେବା ପାଇଁ ଦାବି କରିଥିଲେ। ସୁଦର୍ଶନ ରାଜି ନହେବାରୁ ରଘୁନାଥ ଉତକ୍ଷିତ୍ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଭିନ୍ନ ଧମକ ଚମକ ଦେଇଥିଲେ। ରଘୁନାଥଙ୍କ କୌଣସି କଥାକୁ ସୁଦର୍ଶନ ଗୁରୁତ୍ବ ଦେଇନଥିଲେ। ଯାହା ଫଳରେ ରଘୁନାଥ ରାଗିଯାଇ ଏକ କଟୁରୀରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ରକ୍ତ ଜୁଡୁବୁତୁ ଅବସ୍ଥାରେ ସୁଦର୍ଶନ ନଦୀ ବାଲିରେ ପଡ଼ିଥିବା ବେଳେ ଖବର ପାଇ ଗ୍ରାମରଲୋକେ ସୁଦର୍ଶନଙ୍କୁ ତୁରନ୍ତ ମେଡ଼ିକାଲକୁ ନେଇଥିଲେ। ପ୍ରଥମେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ନେଇ ସୁଦର୍ଶନଙ୍କ ପୁଅ ନିଆଳି ଥାନାରେ ଏତଲା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଗିରଫ ହୋଇନଥିବା ସୂଚନା ମିଳିଛି।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ