କଟକ: ମଦ ବିକ୍ରି କରିବା ଅଭିଯୋଗରେ ଗିରଫ ହେଲେ ଜୋମାଟୋ ବଏ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ତୁଳସୀପୁର ଅଞ୍ଚଳର ପ୍ରଶାନ୍ତ ସାହୁ । ସେ ଜୋମାଟୋ ବଏ ଭାବରେ ଖାଦ୍ୟ ପାର୍ସଲ କାମ କରନ୍ତି । ମାତ୍ର ଜୋମାଟୋ ବ୍ୟାଗରେ ଖାଦ୍ୟ ପରିବର୍ତ୍ତେ ମଦ ଭର୍ତ୍ତି କରାଯାଇ ବିଭିନ୍ନ ସ୍ଥାନରେ ପାର୍ଶଲ କରୁଥିଲେ । ଏନେଇ ଖବର ପାଇ ମାଲଗୋଦାମ ପୋଲିସ ଅଭିଯୁକ୍ତ ଜୋମାଟୋ ବଏକୁ ଗିରଫ କରିଛି ।

ଅଭିଯୁକ୍ତ ଜଣକ କେବଳ ମଦ ନୁହେଁ ବ୍ୟାଗ ଭିତରେ ଚାଖଣା ବି ପାର୍ଶଲ କରୁଥିଲେ । ଏପରିକି ଚଢା ଦରରେ ବିକ୍ରୟ କରି ବେଶ୍ ରୋଜଗାର କରୁଥିଲେ । ବ୍ୟବସାୟ ବି ଭଲ ଜମୁଥିଲା । ସେ ଲକଡାଉନ ହେଉ କିମ୍ବା ସଟଡାଉନ ସବୁ ସମୟରେ ଗ୍ରାହକଙ୍କ ପାଖରେ ମଦ ପହଞ୍ଚାଉଥିଲେ । ଖୋଲା ଖୋଲି ଭାବରେ ବିକ୍ରୟ କରୁଥିଲେ ମଦ । ଜୋମାଟୋ ବଏ ହୋଇଥିବାରୁ ପୋଲିସର ସନ୍ଦେହ ବି ହେଉନଥିଲା । ମାତ୍ର ଏନେଇ କୌଣସି ସୂତ୍ରରୁ ଖବର ପାଇ ମାଲଗୋଦାମ ଥାନା ପୋଲିସ ଜୋମାଟ ବଏକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ତା ନିକଟରୁ ୨୦ ଲିଟର ମଦ, ବାଇକ ଆଦି ଜବତ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ