କଟକ: ମଦ ପିଇ ମଦୁଆଙ୍କ ଉନ୍ମତ୍ତ କାଣ୍ଡ । ମଶାଣିରେ ଉତ୍ପାତ କରୁଛନ୍ତି ମଦୁଆ । ଏପରିକି କୋରୋନା ମୃତଦେହକୁ ଦାହ କରୁଥିବା ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି କଟକ ସତୀଚଉରା ମଶାଣିରେ ଘଟିଥିବା କୁହାଯାଇଛି ।
୩ ରୁ ୪ ଜଣ ମଦ୍ୟପ ମୃତଦେହ ଦାହ କରୁଥିବା ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ଜଣାପଡିଛି । ଏମିତିକି ଶେଷକୃତ୍ୟରେ ବ୍ୟବହୃତ ହେଉଥିବା ବାଉଁଶରେ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଭିଡ଼ିଓରେ ଦେଖାଯାଇଛି । କିଛିଦିନ ପୂର୍ବରୁ ମୃତଦେହ ଦାହ କରୁଥିବା କିଛି ସାମାଜିକକର୍ମୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା ।
ମାତ୍ର ଏବେ ସେହି ସମାନ ସ୍ଥାନରେ ଏଭଳି ଘଟଣା ଘଟିଥିଲା ବେଳେ ଉକ୍ତ ସ୍ଥାନରେ ପୋଲିସ ନଥିବା ଜଣାପଡିଛି । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବି, ରାତ୍ରୀ ସମୟରେ ପୋଲିସ ପାଟ୍ରୋଲିଂକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ