କଟକ: ଆଜି(ବୁଧବାର) ଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ(10th class) ସମେଟିଭ-1 ପରୀକ୍ଷା(summative examination)। 5 ରୁ 8 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ପରୀକ୍ଷା ହେବା ହେବାକୁ ଥିବା ବେଳେ ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟି ସିଟିଂରେ ହେବ ଏବଂ ଶେଷ ଦିନ (8 ତାରିଖ ଦିନ) କେବଳ ପ୍ରାଟିକାଲ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ 3093 କେନ୍ଦ୍ର କରାଯାଇଥିବା ବେଳେ 311 ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ପହଁଚି ଯାଇଛି। ସେଥିମଧ୍ୟରୁ 22 ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର। ମୋଟ 5 ଲକ୍ଷ 76 ହାଜର 223 ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସକାଳ ସାଢେ 8 ଟା ବେଳେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚିବ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯାଇଛି ଏବଂ ପ୍ରତିଦିନ ମଧ୍ୟ ଏହା କରାଯିବ। ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତିଟି ଶ୍ରେଣୀରେ ଅତି ବେଶୀରେ 24 ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ। କପି ରୋକିବା ପାଇଁ ମୋଟ 72 ଟି ସ୍କ୍ବାର୍ଡ ଗଠନ କରାଯାଇଥିବା ବେଳେ 40ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି।
ଏହା ବ୍ୟତୀତ ନିଜ ନିଜ ଜିଲ୍ଲାରେ ଏଥିପାଇଁ ସୁବନ୍ଦୋବଦସ୍ତ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ଗୁଡିକକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପରୀକ୍ଷା କେନ୍ଦ୍ରଗୁଡିକୁ ମୋବାଇଲ ମନା ହୋଇଛି। ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖି କରି ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ