କଟକ: ୧୯୨୧ ମସିହା ମାର୍ଚ୍ଚ ମାସ ଆଜିର ତାରିଖ ତଥା ୨୩ ତାରିଖରେ ଓଡିଶା ଆସିଥିଲେ ବାପୁ । ମହାତ୍ମାଙ୍କ ଓଡ଼ିଶା ଗସ୍ତକୁ ୧୦୨ ବର୍ଷ ପୂର୍ତ୍ତି ହୋଇଛି । ଏହାକୁ ମନେ ପକାଉଛନ୍ତି କଟକବାସୀ । ମହାତ୍ମାଙ୍କୁ ଝୁରୁଛି ସିଲଭର ସିଟି । କଟକର କାଠଯୋଡି କୂଳରେ ବାପୁଙ୍କ ବୌଠକର ସ୍ମୃତି ଏବେବି ଉଜ୍ଜିବୀତ । ମହାତ୍ମାଙ୍କ ଆଦର୍ଶରେ ଏବଂ ଭାବଧାରା ଏବେବି ସେହି ସ୍ଥାନରେ ନିଜର ଅସ୍ଥିତ୍ବକୁ ବଞ୍ଚାଇ ରଖିଛି । ସେହି ସ୍ମୃତିକୁ ସାଉଁଟି ରଖିବା ପାଇଁ ବେଲ୍ ଭ୍ୟୁରେ ସ୍ଥାପିତ ହୋଇଛି ଗାନ୍ଧୀ ସ୍ମାରକୀ ପାର୍କ ।
ତେବେ ଏହାକୁ ଦୃଷ୍ଟିରେ ରଖି ଆଜିର ଦିନକୁ ଏକ ସ୍ମୃତି ଦିବସ ଭାବରେ ପାଳୁଛି କଟକ । ଗାନ୍ଧୀଜୀଙ୍କ ପ୍ରଥମ କଟକ ଗସ୍ତକୁ ଆଜି ଜିଲ୍ଲା ପ୍ରଶାସନ ଓ ଗାନ୍ଧୀବାଦୀ ପାଳନ କରିଛନ୍ତି । ବେଲଭ୍ୟୁରେ ସ୍ଥାପିତ ଗାନ୍ଧୀ ସ୍ମାରକୀ ପାର୍କରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରାଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରଥମଥର ଲାଗି ଓଡିଶା ଆସି କଟକ ପୁରୀଘାଟରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ୫ ଦିନର ଏହି ଓଡିଶା ଗସ୍ତରେ ସେ ବାଲେଶ୍ବର, ଭଦ୍ରକ, କଟକ, ସାକ୍ଷୀଗୋପାଳ, ପୁରୀ ଓ ଗଞ୍ଜାମ ବୁଲି ଇଂରାଜମାନଙ୍କ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନକୁ ବଳିଷ୍ଠ କରିବାକୁ ଆହ୍ବାନ ଦେଇଥିଲେ ।
ଗାନ୍ଧୀବାଦୀ କହିଛନ୍ତି, ‘‘ଗାନ୍ଧୀ କଟକରୁ ଫେରିବା ପରେ ତାଙ୍କର ପୋଷାକରେ ପରିଵର୍ତ୍ତନ ଆସିଥିଲା । କଟକ ଆସିଲା ବେଳେ ସେ ମୁଣ୍ଡରେ ଟୋପି ଓ ଦେହରେ ପୋଷାକ ପିନ୍ଧୁଥିଲେ । ଆଉ କଟକରୁ ଯିବା ପରେ ସେ କେବଳ ଖଦି ଲୁଗା ପିନ୍ଧିବା ଆରମ୍ଭ କରିଥିଲେ । ତେବେ ସେହି କଟକ କାଠଯୋଡି ସଭାକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଜିଲ୍ଲା ପ୍ରଶାସନ ଓ ଗାନ୍ଧୀବାଦୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି ।‘‘
ଏହି ଗାନ୍ଧୀ ସ୍ମାରକୀ ପାର୍କରେ ପ୍ରତିଷ୍ଠା ହୋଇଥିବା ସ୍ମାରକୀରେ ଗାନ୍ଧୀଜୀ ୧୯୨୧ ମସିହାରେ ସଭାରେ ଯେଉଁ ମାନଙ୍କ ସହ ବସିଛନ୍ତି ଏବଂ ଯେଉଁ ଭଳି ଢଙ୍ଗରେ ସଭା ହେଉଛି, ତାର ନିଚ୍ଛକ ରୁପ ଦେଖିବାକୁ ମିଳୁଛି । ଏହି ସ୍ମାରକୀ ପାର୍କ ଏବେ ଏକ ସ୍ମରଣୀୟ ସ୍ଥାନ ପାଲଟିଛି । ତେବେ ଆଜିର ଦିନରେ ସମସ୍ତଙ୍କୁ ବିଶେଷ କରି ଯୁବପିଢୀକୁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଅଛି ବୋଲି ଗାନ୍ଧୀବାଦୀ କହିଛନ୍ତି । ତେବେ ଆଗମୀ ଦିନରେ ଏହି ପାର୍କର ବିକାଶ କରିବା ପାଇଁ ସିଏମସି କାର୍ଯ୍ୟକରିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଇଟିଭି ଭାରତ, କଟକ