ଭୁବନେଶ୍ବର: ଶନିବାର ବିଧିବଦ୍ଧ ଭାବେ ଷୋଡଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହେବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର। ଏନେଇ ଶୁକ୍ରବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ଅସ୍ଥାୟୀ ବାଚସ୍ପତି ମଧ୍ୟାହ୍ନ 12ଟା ସୁଦ୍ଧା ବାଚସ୍ପତି ପଦ ପାଇଁ ଆବେଦନ ଆହ୍ବାନ କରିଥିଲେ ।
ସୂଚନା ଅନୁଯାୟୀ ବିଜେଡି ପକ୍ଷରୁ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ପ୍ରସ୍ତାବ କରିଥିଲେ । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ । ଏଥିସହ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ ।
ତେବେ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ପ୍ରସ୍ତାବ କରାଯାଇ ନାହିଁ । ଏହି ଦୃଷ୍ଟିରୁ ଆସନ୍ତାକାଲି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବସମ୍ମତକ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେବେ ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ