ଭୁବନେଶ୍ୱର: ରାଜ୍ୟରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଛି ଏବଂ ମଣ୍ଡିରୁ ଧାନ ଉଠୁନି । ଆଉ ଦୁଇ ଦିନରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଏବେ ମଣ୍ଡିରେ ଧାନ ଗଜା ହେଲାଣି । ଆଜି ରାଜ୍ୟରେ ଧାନ କିଣାରେ ସରକାର ବିଫଳ ହୋଇଥିବା ସମ୍ପର୍କିତ ମୁଲତବୀ ଆଲୋଚନାରେ ବିରୋଧୀ ଏଭଳି କିଛି ଅଭିଯୋଗ କରି ସରକାରଙ୍କୁ ଘେରିଥିଲେ ।
ସେପଟେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିରୋଧୀଙ୍କ ଅଭିଯୋଗକୁ ଅସ୍ବୀକାର କରିବାକୁ ଯାଇ କହିଥିଲେ ଯେ, ଚଳିତ ଖରିଫ ଋତୁରେ 55 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହର ଟାର୍ଗେଟ କରାଯାଇଥିଲା । ଏବେସୁଦ୍ଧା 64 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଖରିଫ ଧାନ ସଂଗ୍ରହ ପାଇଁ ଆଉ ଦୁଇ ଦିନ ଅଛି । ବିଧାୟକଙ୍କ ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲେ କାର୍ଯ୍ୟାନୁଷ୍ଠାନ ହେବ । କଂଗ୍ରେସ ସରକାରରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ବେଳେ ବିଜେପି କେବଳ ଭାଷଣ ମାରୁଛି । ବିଜେଡି କିନ୍ତୁ ଚାଷୀଙ୍କୁ ନିର୍ବାଣ କରିଛି । କେବଳ ରାଜନୀତି ପାଇଁ ଅଭିଯୋଗ କରାଯାଉଛି ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ ।
ସେପଟେ ପୁଣିଥରେ ଧାନ ଏମଏସପି 2930 ଟଙ୍କାକୁ ବୃଦ୍ଧି ପାଇଁ ବିରୋଧୀ ଦଳ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯିବା ଉଚିତ । ଏଥିସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା 5 କିଲୋ ପରିବର୍ତ୍ତେ ଅଧିକ ଚାଉଳ ଦେବା ଉଚିତ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ