ଭୁବନେଶ୍ବର: ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 9 ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ନବୀନ ସାକ୍ଷାତ କରିବେ । ବିଭିନ୍ନ ପ୍ରସଙ୍ଗରେ ଏହି ସମୟରେ ଆଲୋଚନା ହେବ । ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ ।
ରବିବାର ଦିଲ୍ଲୀ ଯାଉଛନ୍ତି ନବୀନ । ଏହିଦିନ ହିଁ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିବେ । ସୋମବାର ମୋଦିଙ୍କୁ ସାକ୍ଷାତ କରିବେ ନବୀନ । ରାଜ୍ୟର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଏହି ସମୟରେ ଆଲୋଚନା ହେବ । ଓଡିଶାର ଦାବିକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବେ ନବୀନ ।
କେଉଁ କେଉଁ ପ୍ରସଙ୍ଗରେ ହେବ ମୋଦି-ନବୀନଙ୍କ ମଧ୍ୟରେ ଆଲୋଚନା ? ବର୍ତ୍ତମାନ ସ୍ଥିତିରେ ଓଡିଶା ଆୟୁଷ୍ମାନ ଯୋଜନାରେ ସାମିଲ ହେବାର ସମ୍ଭାବନାଟିଏ ସୃଷ୍ଟି ହୋଇଥିବା ବେଳେ ଏ ପ୍ରଶ୍ନ ଉଠିବା ସ୍ବଭାବିକ । ହୁଏତ ଏ ପ୍ରସଙ୍ଗ ଉଭୟ ନେତାଙ୍କ ପାଇଁ ବେଶ ଗୁରୁତ୍ବବହନ କରୁଛି । କାହିଁକିନା ଓଡିଶାକୁ ମନେଇବା ମୋଦିଙ୍କ ପାଇଁ ଏକ ବଡ ସଫଳତା ହେବ । ସେହିପରି ପିଏମ କିଷାନ ଯୋଜନା, ଫୋନି ସହାୟତା, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ ।
ଅନ୍ୟପଟେ ଉପବାଚସ୍ପତି ଆସନ ପାଇଁ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଏହି ଆସନଟି ବିଜେଡି ଖାତାକୁ ଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେବା ପରେ ଏବେ ଏନେଇ ଚର୍ଚ୍ଚା ଜୋର ଧରିଛି । ଶିବସେନା ଏନେଇ ବିଜେଡି ପଥରେ ଆରମ୍ଭରୁ କଣ୍ଟା ସାଜିଛି । ସାକ୍ଷାତବେଳେ କ’ଣ ରହିବ ଉଭୟ ନେତାଙ୍କ ଆଭିମୁଖ୍ୟ ସେ ଉପରେ ସଭିଙ୍କ ନଜର ରହିଛି । ଗସ୍ତ ଅବସରରେ କିଛି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ନବୀନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ