ବ୍ରହ୍ମପୁର:ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ଗଞ୍ଜାମର ହିଞ୍ଜିଳି ଆସନ ଉପରେସମସ୍ତଙ୍କ ନଜର । ଆଉ ଶେଷରେ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବା ପାଇଁ ଦୁଇ ପ୍ରମୁଖ ବିରୋଧୀ ଦଳ ଫୁଲଦମରେ ମୈଦାନକୁ ଓଲ୍ଲାଇଛନ୍ତି । ବିଜେପି ପକ୍ଷରୁ ପିତାମ୍ୱର ଆଚାର୍ଯ୍ୟ ଏବଂ କଂଗ୍ରେସ ପକ୍ଷରୁ ଶମ୍ଭୁନାଥ ପାଣିଗ୍ରାହୀ ଦାଖଲ କରିଛନ୍ତି ନାମାଙ୍କନ ।
ବିଜେପି ପ୍ରାର୍ଥୀ ପିତାମ୍ୱର ଆଚାର୍ଯ୍ୟାଙ୍କ ନାମାଙ୍କନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ବିଜେପି ପ୍ରଚାର କମିଟିର ଆବାହକ ଦାମୋଦର ରାଉତ, ବ୍ରହ୍ମପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ରଙ୍କ ସମେତ ଆସିକା ଲୋକସଭା ଆସନର ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ । ଛତ୍ରପୁରରେ ଏକ ବିରାଟ ଶୋଭାଯାତ୍ରା କରିବା ପରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ କରିଥିଲେ ଦଳୀୟ ପ୍ରାର୍ଥୀ । ୨୦୧୯ ନିର୍ବାଚନ ଏକ ସ୍ୱାଭିମାନର ଲଢେଇ ବୋଲି କହିଥିଲେ ପିତାମ୍ୱର ।ସେପଟେ କଂଗ୍ରେସ ପକ୍ଷରୁ ଶମ୍ଭୁନାଥ ପାଣିଗ୍ରାହୀ ନିଜର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ପହଞ୍ଚି ନିଜର ନାମାଙ୍କନ ଭରିଥିଲେ ।
ସ୍ଥାନୀୟ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଥିଲେ ଶମ୍ଭୁନାଥ ।ମୁଖ୍ୟମନ୍ତ୍ରୀଙ୍କ ଗଡରେ କଂଗ୍ରେସ ଏବଂ ବିଜେପିର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନବୀନଙ୍କୁ ଟକ୍କର ଦେବା ଲାଗି ତୟାର ହୋଇଥିବା ବିରୋଧୀ ଦଳର ବ୍ଲୁ ପ୍ରିଣ୍ଟ କେତେ ସଫଳ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ