ଭୁବନେଶ୍ବର: ବାତ୍ୟା ଚାଲିଯିବା ପରେ ଏକପ୍ରକାର ଶ୍ରୀହୀନ ହୋଇ ପଡିଛି ରାଜଧାନୀ ରାସ୍ତା । ବାତ୍ୟା ପ୍ରକୋପରେ ଭାଙ୍ଗି ଯାଇଛି ସମସ୍ତ ଗଛ । ଦିନ ଥିଲା ଅଣ୍ଟା ସଳଖି ରାସ୍ତାରେ ଠିଆ ହୋଇ ଯାତ୍ରୀଙ୍କୁ ଛାଇ ସହ ରାଜଧାନୀ ରାସ୍ତାର ଶୋଭା ବଢାଉଥିଲେ ଅନେକ ବିଶାଳକାୟ ଗଛ । ହେଲେ ଆଜି ବାତ୍ୟା ‘ଫନି’ ଛଡାଇ ନେଇଛି ରାଜଧାନୀର ଏହି ସୁନ୍ଦରତାର ଗର୍ବ । ଏତେସବୁ ଭିତରେ ଏବେ ବି ସଳଖ ରହିଛନ୍ତି ଏକାମ୍ର ପାର୍କ ଠାରୁ ସିଆରପି ପର୍ଯ୍ୟନ୍ତ ଲାଗିଥିବା ଛତିଆନ ଗଛ ।
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ଆଇଏଫ୍ଏସ ରେବିକା ନାୟାରଙ୍କ କହିବା ଅନୁଯାୟୀ ଯେଉଁ ଗଛ ସବୁର ଚେର ମଜବୁତ ସେ ଗଛ ସେତିକି ଦୀର୍ଘସ୍ଥାୟୀ । ଏକାମ୍ରଠାରୁ ସିଆରପି ପର୍ଯ୍ୟନ୍ତ ଲଗାଯାଇଥିବା ଛତିଆନ ଗଛର ଚେର ମଧ୍ୟ ମଜବୁତ ହୋଇଥିବାରୁ ଏହା ବାତ୍ୟାର ପ୍ରକୋପ ସହି ଏବେ ବି ସଳଖ ଛିଡା ହୋଇ ରହିଛି । ତେଣୁ ରାସ୍ତା କଡରେ ଏପରି ଗଛ ଲଗାଯିବା ଉଚିତ୍ । ଏହା ଯାତ୍ରୀମାନଙ୍କୁ ଖରା ଦାଉରୁ ରକ୍ଷା କରିବା ସହ ସହରର ସୌନ୍ଦର୍ଯ୍ୟ ମଧ୍ୟ ବଢାଇଥାଏ ।
ଅନ୍ୟପଟେ ରାଜଧାନୀ ରାସ୍ତାରେ ସୁନ୍ଦରତା ଦୃଷ୍ଟିରୁ ଲଗାଯାଇଥିବା କୃଷ୍ଣଚୂଡା ଓ ଚାକୁଣ୍ଡା ଭଳି ଗଛ ସବୁ ବାତ୍ୟାର ପବନ ସହି ନପାରି ଉପୁଡି ଯାଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ