ଭୁବନେଶ୍ବର: ବାତ୍ୟା 'ଫନି'କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ଭୟଙ୍କର ଭାବରେ ଓଡିଶା ମୁହାଁ ବାତ୍ୟାର ମୁକାବିଲା ପାଇଁ ସବୁ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ରହିଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସାମୁଦ୍ରିକ ଝଡ 'ଫନି' ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି ବୋଲି ସୂଚନା ଦେଇଛନ୍ତି । ସାମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ସହ ବିମାନବନ୍ଦରରେ ଯାତ୍ରୀଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସେ ସୂଚନା ଦେଇଛନ୍ତି ।
ନିର୍ଦେଶକ ସୁରେଶ କୁମାର ହୋତାଙ୍କ ସୂଚନା ଅନୁଯାୟୀ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରାଯାଇଛି ।
ବାତ୍ୟା ସମୟରେ ଉଡାଣ ବାତିଲ ହେଲେ ଯାତ୍ରୀଙ୍କ ପାଇଁ ଖାଦ୍ୟ -ପାନୀୟ ବ୍ୟବସ୍ଥା ରହିଛି । ଅଧିକ ସିଟିଂ ଆରେଞ୍ଜମେଣ୍ଟ ମଧ୍ୟ ରହିଥିବା ସୂଚନା ରହିଛି । ବାତ୍ୟା ପ୍ରଭାବରେ ବିଦ୍ୟୁତ ସରବରାହରେ ସମସ୍ୟା ଘଟିଲେ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ଡିଜେଲ ପେଟ୍ରୋଲ ସହ ପ୍ରସ୍ତୁତ ରହିବା ଓ ସିଭିଲ ଟିମ୍କୁ ଯେ କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ରଖିଥିବା କଥା କହିଛନ୍ତି ନିର୍ଦ୍ଦେଶକ ।
ଯଦି ବିମାନବନ୍ଦଗରେ କୌଣସି କ୍ଷୟକ୍ଷତି ହୁଏ ତେବେ ତୁରନ୍ତ ମରାମତି କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ ରହିବେ । ହେଲପଲାଇନ ନମ୍ବର ରହିବା ସହ ସମସ୍ତ ଡିପାର୍ଟମେଣ୍ଟ ପକ୍ଷ ସହ ଯୋଗାଯୋଗ ରଖାଯିବ । ରିଲଫ୍ ଓ ବିପଦସଙ୍କୁଳ ସ୍ଥାନରୁ ସ୍ଥାନାନ୍ତରୀକରଣ ପାଇଁ 'ଏୟାରଲିଫ୍ଟ' ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୁରେଶ କୁମାର ହୋତା ସୂଚନା ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ବାତ୍ୟା 'ଫନି' ସ୍ଥଳଭାଗ ଛୁଇଁବା ବେଳକୁ ୧୭୫ରୁ ୧୮୫ କିଲୋମିଟର ବେଗରେ ପବନ ବୋହିବ । ସମୁଦ୍ରରୁ ଦେଢ ମିଟର ଉଚ୍ଚର ଜୁଆର ମାଡି ଆସିବ । ପବନ ସହ ଅତି ପ୍ରବଳ ବର୍ଷା ଲାଗି ରହିବ । ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରରେ ବ୍ୟାପକ କ୍ଷତି ଘଟିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ